Categories: ଜାତୀୟ

ଜାଣନ୍ତି କି…ସଂସଦରେ କେତୋଟି ଅଧିବେଶନ ହୋଇଥାଏ? କେବେ ଆଉ କିଭଳି ସ୍ବତନ୍ତ୍ର ଅଧିବେଶନ ଡକାଯାଇଥାଏ…

ନୂଆଦିଲ୍ଲୀ,୨୧।୬: ୧୮ତମ ଲୋକ ସଭା ଲାଗି ଶେଷ ହୋଇଛି ନିର୍ବାଚନ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଗଢ଼ିଛି ଏନ୍‌ଡିଏ। ଏବେ ଉଭୟ ଶାସକ ଏବଂ ବିରୋଧୀ ପାର୍ଲାମେଣ୍ଟ ଅଧିବେଶନ ଅପେକ୍ଷାରେ ରହିଛନ୍ତି। ତେବେ ଜୁନ ୨୪ରେ ନୂଆ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ଜୁଲାଇ ୩ ଯାଏ ଏହା ଚାଲିବ ବୋଲି ଜଣାପଡ଼ିଛି।
ଏହି ଅଧିବେଶନରେ ଲୋକ ସଭାର ପୁରୁଣା ପରମ୍ପରା ଦେଖିବାକୁ ମିଳିବ, ଯେମିତିକି ଏମ୍‌ପିମାନଙ୍କ ଶପଥ ଗ୍ରହଣ, ବାଚସ୍ପତି ନିର୍ବାଚନ, ଫ୍ଲୋର ଟେଷ୍ଟ ଆଦି। ହେଲେ କ’ଣ ଆପଣ ଜାଣନ୍ତି ବର୍ଷରେ କେତୋଟି ଅଧିବେଶନ ହୋଇଥାଏ? ଏହାଛଡ଼ା ସ୍ବତନ୍ତ୍ର ଅଧିବେଶନ ଡାକିବାର ଶକ୍ତି କାହା ପାଖରେ ରହିଛି? ଆସନ୍ତୁ ଜାଣିବା…
ସଂସଦରେ କେତୋଟି ଅଧିବେଶନ ଥାଏ?
ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୮୫ରେ ଅଧିବେଶନ ସମ୍ବନ୍ଧରେ ଉଲ୍ଲେଖ ରହିଛି। ତଦନୁଯାୟୀ ଭାରତର ରାଷ୍ଟ୍ରପତିଙ୍କ ନିକଟରେ ସମୟ-ସମୟରେ ସଂସଦର ଅଧିବେଶନ ଡାକିବାର ଶକ୍ତି ରହିଛି। ଏହାର ନିଷ୍ପତ୍ତି ସଂସଦୀୟ ମାମଲାର କ୍ୟାବିନେଟ କମିଟି ଦ୍ୱାରା ନିଆଯାଇଥାଏ, ହେଲେ ଔପଚାରିକ ଭାବେ ରାଷ୍ଟ୍ରପତି ହିଁ ଅଧିବେଶନ ଡାକିଥାନ୍ତି।
ବର୍ଷକରେ ସଂସଦର ୩ ଅଧିବେଶନ ହୋଇଥାଏ, ଯେଉଁଥିରେ ବଜେଟ ଅଧିବେଶନ, ମୌସୁମୀ ଅଧିବେଶନ ଏବଂ ଶୀତକାଳୀନ ଅଧିବେଶନ ସାମିଲ ରହିଛି।
ବଜେଟ ଅଧିବେଶନ:
ବର୍ଷ ଆରମ୍ଭରୁ ପ୍ରଥମେ ବଜେଟ ଅଧିବେଶନ ହୋଇଥାଏ। ଜାନୁୟାରୀ ଶେଷ ଆଡ଼କୁ ଏହାର ଆରମ୍ଭ ହୋଇଥାଏ, ଏପ୍ରିଲ ଶେଷ ଆଡ଼କୁ ନଚେତ ମେ’ ପ୍ରଥମ ସପ୍ତାହ ଯାଏ ଏହା ଚାଲିଥାଏ। ଏହି ଅଧିବେଶନରେ ଦେଶର ବଜେଟ ଉପସ୍ଥାପନ କରାଯାଇଥାଏ।
ମୌସୁମୀ ଅଧିବେଶନ:
ବଜେଟ ଅଧିବେଶନ ପରେ ମୌସୁମୀ ଅଧିବେଶନ ଜୁଲାଇରୁ ଆରମ୍ଭ ହୋଇଥାଏ, ଏହା ଅଗଷ୍ଟ ଯାଏ ଚାଲିଥାଏ। ଏହି ସମୟରେ ସାରାଦେଶରେ ମୌସୁମୀ ବର୍ଷା ହେଉଥାଏ। ଏଣୁ ଏହାର ନାମକରଣ ଏଭଳି ହୋଇଛି। ଏଥିରେ ବିଭିନ୍ନ ବିଧେୟକ ଏବଂ ନୀତିଗତ ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇଥାଏ। ଏହା ସବୁଠାରୁ ଛୋଟ ଅଧିବେଶନ ହୋଇଥାଏ।
ଶୀତକାଳୀନ ଅଧିବେଶନ:
ଏହା ସଂସଦର ତୃତୀୟ ଅଧିବେଶନ ହୋଇଥାଏ, ଯାହା ନଭେମ୍ବରରୁ ଆରମ୍ଭ ହୋଇ ଡିସେମ୍ବର ଯାଏ ଚାଲିଥାଏ। ଏହି ଅଧିବେଶନରେ ବିଭିନ୍ନ ବିଭାଗର କାର୍ଯ୍ୟ ଉପରେ ସମୀକ୍ଷା କରାଯାଇଥାଏ। ଏଥିସହ ସରକାରୀ ଦରକାରୀ ବିଧେୟକକୁ ମଧ୍ୟ ପାରିତ କରିବାକୁ ପ୍ରୟାସ କରିଥାନ୍ତି।
ଦୁଇ ଅଧିବେଶନ ମଧ୍ୟରେ ଅଧିକରୁ ଅଧିକ ୬ ମାସର ବ୍ୟବଧାନ ହୋଇଥାଏ। ଏହାର ଅର୍ଥ ଗୋଟିଏ ବର୍ଷରେ ଅତିକମ୍‌ରେ ଦୁଇଥର ସଂସଦ ଅଧିବେଶନ ଆୟୋଜନ ହେବା ନିଶ୍ଚିତ। ହେଲେ ସମ୍ବିଧାନରେ ଉଲ୍ଲେଖ ରହିଛି ଯେ ରାଷ୍ଟ୍ରପତି ଯେବେ ଉଚିତ ଭାବିବେ ସଂସଦର ଅଧିବେଶନ ଡାକିପାରିବେ।
ସ୍ବତନ୍ତ୍ର ଅଧିବେଶନ?
ସରକାର ଯଦି ବଜେଟ, ମୌସୁମୀ ଏବଂ ଶୀତକାଳିନ ଅଧିବେଶନ ବ୍ୟତିତ ଅନ୍ୟ କୌଣସି ଅଧିବେଶନ ଡାକନ୍ତି ତେବେ ଏହାକୁ ସ୍ବତନ୍ତ୍ର ଅଧିବେଶନ କୁହାଯାଏ। ଭାରତୀୟ ସମ୍ବିଧାନରେ ସ୍ବତନ୍ତ୍ର ଅଧିବେଶନ ବିଷୟରେ ଉଲ୍ଲେଖ ନାହିଁ। ଅନ୍ୟ ଅଧିବେଶନ  ଭଳି ସ୍ବତନ୍ତ୍ର ଅଧିବେଶନ  ଅନୁଚ୍ଛେଦ ୮୫(୧) ଅନୁଯାୟୀ ଡକାଯାଏ। ତେବେ ରାଷ୍ଟ୍ରପତି ମଞ୍ଜୁରୀ ଦେବା ପରେ ଏହି ଅଧିବେଶନ ହୋଇଥାଏ।
Share