ଏମ୍‌ବିବିଏସ୍‌ ଛାତ୍ରୀଙ୍କୁ କାମୁଡ଼ି ଡାକ୍ତର ଗିରଫ

ବ୍ରହ୍ମପୁର ଅଫିସ,୨୪ା୧୧: ବ୍ରହ୍ମପୁର ବଡ଼ ମେଡିକାଲ ପରିସରରେ ଜଣେ ଡାକ୍ତର ଏମ୍‌ବିବିଏସ୍‌ର ଶେଷବର୍ଷ ଛାତ୍ରୀଙ୍କୁ କାମୁଡ଼ି ରକ୍ତାକ୍ତ କରି ଦେଇଛନ୍ତି। ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ପୀଡ଼ିତା ଛାତ୍ରୀଙ୍କ ଅଭିଯୋଗ କ୍ରମେ ବୈଦ୍ୟନାଥପୁର ଥାନା ପୋଲିସ ମାମଲା ରୁଜୁ କରି ଡା. ସୁପ୍ରନ କୁମାର ପାଢ଼ୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିବା ବ୍ରହ୍ମପୁର ଏସ୍‌ପି ଶ୍ରବଣା ବିବେକ ଏମ୍‌. ସୂଚନା ଦେଇଛନ୍ତି। ପୋଲିସ ସୂଚନାନୁସାରେ ହାଉସ୍‌ ସର୍ଜନ ଭାବେ କାମ କରୁଥିବା ଡା. ସୁପ୍ରନ ଓ ଏମ୍‌ବିବିଏସ୍‌ର ଶେଷବର୍ଷ ଛାତ୍ରୀ ମଙ୍ଗଳବାର ଭୋରୁ ଛାତ୍ରୀ ନିବାସ ହଷ୍ଟେଲ୍‌ ନିକଟରେ କଥା ହେଉଥିଲେ। ଏହି ସମୟରେ ହଠାତ୍‌ ଡା. ସୁପ୍ରନ ସମ୍ପୃକ୍ତ ଛାତ୍ରୀଙ୍କୁ ଗାଳିଗୁଲଜ କରିବା ସହିତ ନାନା ଧମକ ଦେଇଥିଲେ। ଏପରିକି ତାଙ୍କର ହାତ, ବେକ ଓ ଗାଲକୁ କାମୁଡ଼ି ଦେଇଥିଲେ। ଛାତ୍ରୀ ଜଣକ ଏହାର ପ୍ରତିବାଦ କରିଥିବା ବେଳେ ଡା. ସୁପ୍ରନ ତାଙ୍କୁ ମାଡ଼ ମାରିଥିଲେ। ଛାତ୍ରୀ ଜଣକ ସେଠାରୁ ପ୍ରାଣବିକଳରେ ଦୌଡି ଯାଇ ହଷ୍ଟେଲ୍‌ରେ ପଶି ଯାଇଥିଲେ।

Share