Advertisement

ବିଷ୍ଣୁପ୍ରସାଦଙ୍କୁ ଝୁରୁଛି ଜନ୍ମମାଟି

ଗୋପ,୨ା୮(ଭାରତୀ ଭୂଷଣ ଉପାଧ୍ୟାୟ): କେରଳର ଓ୍ବାୟନାଡ୍‌ ଭୂସ୍ଖଳନରେ ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତ୍ୟୁକୁ ନେଇ ତାଙ୍କ ଜନ୍ମମାଟି ପୁରୀ ଜିଲା ଗୋପ ବ୍ଲକ ଅନ୍ତର୍ଗତ ପରାଳ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତାଙ୍କ ମୃତ୍ୟୁକୁ ସହଜରେ କେହି ବିଶ୍ବାସ କରିପାରୁନାହାନ୍ତି। ପରିବାର ଲୋକେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି। ତାଙ୍କର ବୃଦ୍ଧ ଜେଜେବାପା ଗୋବିନ୍ଦ ଚିନାରା, ଜେଜେମା ସଖିମଣୀ, ବାପା ପ୍ରମୋଦ ଚିନାରା, ଦାଦା ପ୍ରସନ୍ନ ଚିନାରାଙ୍କ ସହିତ ପରିବାର ସଦସ୍ୟ, ବନ୍ଧୁବାନ୍ଧବ ଏବଂ ଗ୍ରାମବାସୀ ତାଙ୍କୁ ଝୁରୁଛନ୍ତି।
ସୂଚନାଯୋଗ୍ୟ, ବିଷ୍ଣୁପ୍ରସାଦ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ହାଉସ୍‌ ସର୍ଜନ ଭାବେ କାର୍ଯ୍ୟରତ ଥିବାବେଳେ ମେଡିସିନରେ ପିଜି କରୁଥିଲେ। ଜୁଲାଇ ୨୭ରେ ତାଙ୍କର ଜନ୍ମଦିନ ଥିଲା। ତେଣୁ ତାଙ୍କର ସାଙ୍ଗ ଡାକ୍ତର ସ୍ବାଧୀନ ପଣ୍ଡାଙ୍କ ସହିତ ଜନ୍ମଦିନ ପାଳନ କରିବାକୁ ନିଷ୍ପତ୍ତି ହୋଇଥିଲା। ସେହି ଅନୁସାରେ ବିଷ୍ଣୁପ୍ରସାଦ (୩୦), ସ୍ତ୍ରୀ ପୂଜା ଓରଫ ପ୍ରିୟଦର୍ଶିନୀ ପାଲ (୨୬), ଡା. ସ୍ବାଧୀନ ପଣ୍ଡା (୨୯) ଓ ତାଙ୍କ ବାନ୍ଧବୀଙ୍କ ସହିତ ୨୬ ତାରିଖରେ କେରଳର ଓ୍ବାୟନାଡ୍‌ ବୁଲିବାକୁ ଯାଇଥିଲେ। ଘରୁ ଯିବାବେଳେ ବାପା ପ୍ରମୋଦ ପୁଅ ବୋହୂଙ୍କୁ ବୁଲାବୁଲି କରିବା ସମୟରେ ସତର୍କ ରହିବା ଲାଗି ପରାମର୍ଶ ଦେଇଥିଲେ। କିନ୍ତୁ ବିଧିର ବିଧାନ କେ କରିବ ଆନ। ସମସ୍ତେ ଓ୍ବାୟନାଡରେ ପହଞ୍ଚି  ଏକ ଘରୋଇ ହୋଟେଲରେ ରାତ୍ରିଯାପନ କରିଥିଲେ। ଜନ୍ମଦିନ ପାଳନ ପୂର୍ବରୁ ଅର୍ଥାତ୍‌ ୨୬ ତାରିଖ ରାତିରେ ହଠାତ୍‌ ଭୂସ୍ଖଳନ ଘଟିଥିଲା। ଏଥିରେ ବିଷ୍ଣୁପ୍ରସାଦଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରିୟଦର୍ଶିନୀ କୌଣସିମତେ ବଞ୍ଚି ଯାଇଥିବା ସୂଚନା ମିଳିଛି। ସେହିପରି ସ୍ବାଧୀନ ଏପର୍ଯ୍ୟନ୍ତ ନିଖୋଜ ଥିବାବେଳେ ତାଙ୍କର ବାନ୍ଧବୀ ବଞ୍ଚିଥିବା ଜଣାପଡ଼ିଛି। ଏପରି ଦୁଃଖଦ ଖବର ବିଷ୍ଣୁପ୍ରସାଦଙ୍କ ଗାଁରେ ପହଞ୍ଚତ୍ବା ପରେ ସମସ୍ତଙ୍କ ଆଖିରୁ ଲୁହ ଝରୁଛି। ବିଷ୍ଣୁପ୍ରସାଦଙ୍କ ବାପା ପ୍ରମୋଦ କୋହଭରା କଣ୍ଠରେ କାନ୍ଦି କାନ୍ଦି ସବୁ କଥା କହିଥିବାବେଳେ ସହଯୋଗ ପାଇଁ ଗଣମାଧ୍ୟମ ପ୍ରତିନିଧି ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି। ଶୁକ୍ରବାର ମୃତଦେହ ପହଞ୍ଚି ବୋଲି ସୂଚନା ମିଳିଥିବା ସେ ପ୍ରକାଶ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share