Categories: ଜାତୀୟ

ଗର୍ଭବତୀ ମହିଳାଙ୍କ ମୃତ୍ୟୁ ପାଇଁ ଦାୟୀ ଡାକ୍ତର ନେଲେ ଚରମ ନିଷ୍ପତ୍ତି

ଜୟପୁର,୩୦।୩: ରାଜସ୍ଥାନର ଦାଉସା ଜିଲାର ଏକ ବେସରକାରୀ ହସ୍ପିଟାଲରେ ଡାକ୍ତରଙ୍କ ଅବହେଳାରୁ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏଥି ନେଇ ମୃତକଙ୍କ ପରିବାର ଲୋକେ ଥାନାରେ ମାମଲା ରୁଜୁ କରିବା ପରେ ଆତ୍ମହତ୍ୟା କରିଛନ୍ତି ଅଭିଯୁକ୍ତ ମହିଳା ଡାକ୍ତର।

ପୋଲିସ କହିବା ଅନୁଯାୟୀ, ଡ. ଅର୍ଚ୍ଚନା ଶର୍ମା ଏବଂ ତାଙ୍କ ସ୍ବାମୀ ଚଳାଉଥିବା ହସ୍ପିଟାଲରେ ମଙ୍ଗଳବାର ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏଥି ଲାଗି ହସ୍ପିଟାଲ ବାହାରେ ମୃତକଙ୍କ ପରିବାର ଲୋକେ ପ୍ରଦର୍ଶନ କରିବା ସହ ଦାୟୀ ଡାକ୍ତରଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ତା’ ପରେ କ୍ଲିନିକ୍‌ ବିରୋଧରେ ଲାଲସଟ୍‌ ଥାନାରେ ମାମଲା ରୁଜୁ କରାଯାଇଥିଲା। ଏଥିରେ ଚିନ୍ତିତ ହୋଇ ଡ. ଅର୍ଚ୍ଚନା ଆତ୍ମହତ୍ୟା କରିଛନ୍ତି।

ଚିକିତ୍ସାରେ ଅବହେଳା ଯୋଗୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟଣାରେ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ବୁଧବାର ଅପରାହ୍ନରେ ଡାକ୍ତର ହସ୍ପିଟାଲ ଉପରେ ଥିବା ବାସଭବନରେ ଆତ୍ମହତ୍ୟା କରିଛନ୍ତି ବୋଲି ଅତିରିକ୍ତ ଏସ୍‌ପି ଲାଲ ଚାନ୍ଦ କାୟାଲ କହିଛନ୍ତି।

Share