Categories: ଜାତୀୟ

ଫିଲ୍ମ ଷ୍ଟାଇଲରେ ଦ୍ୱିପ୍ରହରରେ ଡାକ୍ତର ଦମ୍ପତିଙ୍କୁ ହତ୍ୟା

ଭରତପୁର (ରାଜସ୍ଥାନ),୨୮ା୫- ପୂରା ଫିଲ୍ମ ଷ୍ଟାଇଲରେ ସ୍ପଷ୍ଟ ଦିବାଲୋକରେ ଡାକ୍ତର ଦମ୍ପତିଙ୍କୁ ଗାଡ଼ି ଭିତରେ ଗୁଳିକରି ହତ୍ୟା କରିଛନ୍ତି ଦୁଇ ଦୁର୍ବୃତ୍ତ। ରାଜସ୍ଥାନର ଭରତପୁର ଜିଲାର ନିମଦା ଗେଟ ଅଞ୍ଚଳରେ ଶୁକ୍ରବାର ମଧ୍ୟାହ୍ନରେ ଘଟିଛି ଏହି ହତ୍ୟାକାଣ୍ଡ। ଡ. ସୁଦୀପ ଗୁପ୍ତା ଓ ତାଙ୍କର ସ୍ତ୍ରୀ ଡ. ସୀମା ଗୁପ୍ତାଙ୍କୁ ଦୁଇ ଯୁବକ ବାଇକରେ ଆସି ୫ ରାଉଣ୍ଡ ଗୁଳି କରିଥିଲେ। ଘଟଣା ସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା।

 

ପୂରା ହତ୍ୟା ଘଟଣା ଟ୍ରାଫିକ କ୍ୟାମେରାରେ କଏଦ ହୋଇଛି। ଦୁଇ ଜଣ ଅଜ୍ଞାତ ଯୁବକ ବାଇକରେ ଆସି ଡ. ଗୁପ୍ତାଙ୍କ କାରକୁ ଅଟକାଇଥିଲେ। ପରେ ଗୁପ୍ତା ଦମ୍ପତିଙ୍କୁ ଗୁଳି କରିଥିଲେ ଜଣେ ଦୁର୍ବୃତ୍ତ।

ଉଲ୍ଲେଖଯୋଗ୍ୟ, ଡାକ୍ତର ଦମ୍ପତି ଡବଲ ମର୍ଡର ମାମଲାରେ ୨୦୧୯ରେ ଗିରଫ ହୋଇଥିଲେ। ସେମାନେ ଜାମିନରେ ବାହାରକୁ ଆସିଥିଲେ। ଡ. ସୁଦୀପଙ୍କ ଜଣେ ମହିଳାଙ୍କ ସହ ସମ୍ପର୍କ ରହିଥିଲା। ଏହା ଜାଣିବା ପରେ ଡ. ସୀମା ୨୫ ବର୍ଷୀୟା ମହିଳା ଓ ତାଙ୍କ ୬ ବର୍ଷର ପୁଅକୁ ହତ୍ୟା କରିଥିଲେ। ଏହି ଘଟଣାରେ ପ୍ରଥମେ ଗିରଫ ହୋଇଥିଲେ ଡ. ସୀମା। ପରେ ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିବା ଡ. ସୁଦୀପଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

Share