କରୋନା ରୋଗୀଙ୍କ ମୃତ୍ୟୁ ଦେଖି ଭୋ ଭୋ କାନ୍ଦିଲେ ଡାକ୍ତର, କହିଲେ…

ଲକ୍ଷ୍ନୌ,୧।୫: ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଡା. ଏ କେ ରାୟ କରୋନା ରୋଗୀଙ୍କ ମୃତ୍ୟୁ ଦେଖି ନିଜ ଚାମ୍ବରରେ ବସି ଭୋ ଭୋ ହୋଇ କାନ୍ଦୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଲୋକେ ଏହି କୋହଭରା ଭିଡିଓକୁ ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର ବି କରୁଛନ୍ତି।

ଜିଲାରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଚାଲିଛି। ଗତ ୨୪ ଏପ୍ରିଲରୁ ୨୯ ତାରିଖ ମଧ୍ୟରେ ଜିଲାରେ ୧୨୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅକ୍ସିଜେନ ଅଭାବରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ରୋଗୀଙ୍କ ମୃତ୍ୟୁ ଦେଖି ଡାକ୍ତର ନିଜର କୋହ ସମ୍ଭାଳି ପାରିନାହାନ୍ତି। କହିଛନ୍ତି, ଆଖି ସାମ୍ନାରେ ଏମିତି ଘଟୁଥିଲେ ମଧ୍ୟ ଆମେ ରୋଗୀଙ୍କୁ ବଞ୍ଚାଇ ପାରୁନୁ। ସେ ମୁହଁରେ ହାତ ଦେଇ ଭୋ ଭୋ କାନ୍ଦିଥିଲେ। ଭିଡିଓଟିକୁ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ସୂର୍ଯ୍ୟ ପ୍ରତାପ ସିଂ ନିଜ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି। ଏଥିରେ କ୍ୟାପଶନ ଲେଖିଛନ୍ତି, ପୂରା ରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥା ଭେଣ୍ଟିଲେଟରରେ। ତାଙ୍କର ଏହି ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି।

Share