ଶ୍ରୀନଗର,୧୩।୨ : ଜମ୍ମୁ-କଶ୍ମୀରର ଉପାନ୍ତ ଅଞ୍ଚଳ କେରନରେ ଜଣେ ଆସନ୍ନପ୍ରସବା ଗର୍ଭବେଦନାରେ ଛଟପଟ ହେଉଥିବାବେଳେ ତୁଷାରପାତ ଯୋଗୁ ତାଙ୍କୁ ଏୟାରଲିଫ୍ଟ କରାଇ ହସ୍ପିଟାଲ ନେବା ସମ୍ଭବ ହୋଇ ନ ଥିଲା। ତେବେ ଡାକ୍ତରମାନେ ହ୍ବାଟ୍ସଆପ୍ କଲ୍ କରି ସୁସ୍ଥ ସନ୍ତାନ ପ୍ରସବ କରାଇବାରେ ସହାୟତା କରିଛନ୍ତି। କ୍ରାଲପୋରା ବ୍ଲକ୍ ମେଡିକାଲ ଅଫିସର ଡା. ମୀର୍ ମହମ୍ମଦ ଶାଫିଙ୍କ କହିବା ଅନୁଯାୟୀ ଶୁକ୍ରବାର ରାତିରେ ଜଣେ ରୋଗୀ କେରନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଲେବର ପେନ୍ରେ ଥିବା ଖବର ପାଇଥିଲୁ।
ଏକ୍ଲାମ୍ପସିଆ ଯୋଗୁ ଉକ୍ତ ମହିଳାଙ୍କ ପାଇଁ ସନ୍ତାନ ପ୍ରସବ ଜଟିଳ ସମସ୍ୟା ଥିଲା। ତେଣୁ ତାଙ୍କୁ ଉନ୍ନତ ପ୍ରସବ ସୁବିଧା ଥିବା ହସ୍ପିଟାଲକୁ ନେବା ଜରୁରୀ ହୋଇଥିଲା। ତେବେ ତୁଷାରପାତ ଯୋଗୁ କୁପଓ୍ବାରା ଜିଲାର ଅନ୍ୟ ଅଞ୍ଚଳରୁ କେରନ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିବାରୁ ଏବଂ ପାଗ ଖରାପ ଯୋଗୁ ବିମାନରେ ତାଙ୍କୁ ନେବା ସମ୍ଭବ ହୋଇ ନ ଥିଲା। ଅନ୍ୟ ଉପାୟ ନ ପାଇ କ୍ରାଲପୋରା ଉପଜିଲା ହସ୍ପିଟାଲର ବିଶେଷଜ୍ଞ ଡାକ୍ତର ପରଭେଜ୍ ଏବଂ ଡ. ଅର୍ଶାଦ କେରନ ସ୍ବାସ୍ଥ୍ୟକେନ୍ଦ୍ରକୁ ହ୍ବାଟ୍ସଆପ୍ରେ କଲ୍ କରି ସନ୍ତାନ ପ୍ରସବ ପ୍ରଣାଳୀ ସମ୍ପର୍କରେ ବତାଇଥିଲେ। ୬ ଘଣ୍ଟାର ପ୍ରଚେଷ୍ଟା ପରେ ଏକ ସୁସ୍ଥ ଶିଶୁ ଜନ୍ମ ହୋଇଥିଲା। ଏବେ ମାଆ ଓ ଶିଶୁ ସୁସ୍ଥ ଥିବା ଡ. ଶାଫି କହିଛନ୍ତି।