ଟ୍ରାକ୍ଟର ଚଳାଇ କରୋନା ଆକ୍ରାନ୍ତ ଶବକୁ ଅନ୍ତିମ ସଂସ୍କାର ପାଇଁ ନେଲେ ଡାକ୍ତର

ହାଇଦ୍ରାବାଦ, ୧୩।୭- ମହାମାରୀ କରୋନା ଭାଇରସ୍‌ସ୍ଥିତି ଭାରତରେ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏଭଳି ଏକ ସମୟରେ ତେଲଙ୍ଗାନାର ଜଣେ ଡାକ୍ତର କରୋନାରେ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ଶବକୁ ଅନ୍ତିମ ସଂସ୍କାର ପାଇଁ ନିଜେ ଟ୍ରାକ୍ଟର ଚଳାଇ ନେବା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। ତେଲଙ୍ଗାନା ଡାକ୍ତର ପେଣ୍ଡାଲ୍ୟା ଶ୍ରୀରାମଙ୍କ ଏଭଳି ଉଦ୍ୟମକୁ ନେଇ ଏବେ ତାଙ୍କୁ ଚାରିଆଡ଼ୁ ପ୍ରଶଂସା କରାଯାଉଛି।
ଏହି ଘଟଣା ତେଲଙ୍ଗାନାର ପେଡାପଲ୍ଲୀ ଜିଲା ସରକାରୀ ଡାକ୍ତରଖାନାରେ ଘଟିଛି। ଡାକ୍ତର ପେଣ୍ଡାଲ୍ୟା ଏଠାରେ ଜିଲା ଚିକିତ୍ସା ନୀରିକ୍ଷଣ ଅଧିକାରୀ ଭାବେ କାମ କରନ୍ତି। ରବିବାର ଜଣେ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହୋଇଥିଲା। ସେତେବେଳେ ହସ୍ପିଟାଲରେ କୌଣସି ଆମ୍ବୁଲାନ୍ସ ଉପଲବ୍ଧ ନ ଥିଲା। ଫଳରେ ସରକାରଙ୍କ ନିୟମ ଅନୁଯାୟୀ ଏହି ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ମେଡିକାଲ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଯାଇଥିଲେ। ସ୍ଥାନୀୟ ମ୍ୟୁନିସିପାଲଟି ପକ୍ଷରୁ ପ୍ରଦାନ କରାଯାଇଥିବା ଟ୍ରାକ୍ଟର ଉପଲବ୍ଧ ଥିଲେ ମଧ୍ୟ ଏହାର ଡ୍ରାଇଭର କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଶବକୁ ଅନ୍ତିମ ସଂସ୍କାରରେ ନେବା ଲାଗି ମନା କରିଦେଇଥିଲେ। ଫଳରେ ସେଠାରେ ଉପସ୍ଥିତ ଥିବା ୪୫ ବର୍ଷୀୟ ଡାକ୍ତର ପେଣ୍ଡାଲ୍ୟା ଟ୍ରାକ୍ଟରକୁ ନିଜେ ଚଳାଇ ଶବଦାହ ସ୍ଥାନକୁ ନେବା ଲାଗି ସ୍ଥିର କରିଥିଲେ। ଏହାପରେ ସେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଶବକୁ ପ୍ରୋଟୋକଲ୍‌ ଅନୁଯାୟୀ ପ୍ୟାକ୍‌ କରି ଧରି ଟ୍ରାକ୍ଟର ଚଳାଇ ୨ କିମି ଦୂର ଶବଦାହ ସ୍ଥାନକୁ ଯାଇଥିଲେ। ସେଠାରେ ସରକାରୀ ନିୟମ ଅନୁଯାୟୀ ଶବଦାହ କରାଯାଇଥିଲା। ଡାକ୍ତର ଟ୍ରାକ୍ଟର ଚଳାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ ଭାବରେ ଭାଇରାଲ ହେବାରେ ଲାଗିଛି।

Share