ବାହାରୁ ଔଷଧ କିଣିବାକୁ କହୁଛନ୍ତି ଡାକ୍ତର

ବ୍ରହ୍ମପୁର,୨୩ା୭ (ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମକେସିଜି) ମେଡିକାଲର ଜଣେ ଡାକ୍ତର ଜଣେ ରୋଗୀଙ୍କୁ ବାହାରୁ ଔଷଧ କିଣିବାକୁ କହିଥିଲେ। ଏନେଇ ସେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଏମକେସିଜି ମେଡିକାଲ ଅଧୀକ୍ଷକଙ୍କ ନିକଟରେ ଲିଖିତ ଜଣାଇବା ସହ ସାଙ୍ଘାତିକ ଅଭିଯୋଗ କରିଛନ୍ତି। ଏହା ସହିତ ସରକାରୀ ନିୟମ ଖିଲାପ କରି ଯେଉଁ ଡାକ୍ତର ଏଭଳି କାମ କରିଛନ୍ତି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରୋଗୀ ଜଣଙ୍କ ଦାବି କରିଛନ୍ତି। ସେହିପରି ଘଟଣାର ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧିକ୍ଷକ ଚିଠିରେ ଉଲ୍ଲେଖ କରିଛନ୍ତି।

ସୂଚନା ଅନୁସାରେ ନିରଂଜନ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ସୋମବାର କୁକୁର କାମୁଡି ଦେଇଥିଲା। ଏଣୁ ସେ ଚିକିତ୍ସା ପାଇଁ ଏମକେସିଜି ମେଡିକାଲର ଓପିଡିକୁ ଯାଇଥିଲେ। ଟିକେଟ କରି ସେ ଜଳାତଙ୍କ ବିଭାଗକୁ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ଦେଖିବା ପରେ ପ୍ରେସ୍କ୍ରିପସନରେ କିଛି ଔଷଧ ଓ ଇଂଜେକ୍ସନ ଲେଖିଥିଲେ। ଏହା ସହିତ ଅନ୍ୟ ଏକ ଛୋଟ କାଗଜରେ କିଛି ଔଷଧ ଲେଖିଥିଲେ। ତାହା ବାହାର ଦୋକାନରୁ କିଣି ଆଣିବା ପରେ ହସ୍ପିଟାଲରେ ଥିବା ଇଂଜେକ୍ସନ ଦିଆଯିବ ବୋଲି କହିଥିଲେ। କୁକୁର କାମୁଡା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ମାଗଣାରେ ଇଂଜେକ୍ସନ (ଆଣ୍ଟି ରାବିସ) ଯୋଗାଣ କରାଯାଉଛି। ହସ୍ପିଟାଲରେ ଉକ୍ତ ଇଂଜେକ୍ସନ ଥିବା ବେଳେ ଡାକ୍ତର ତାଙ୍କୁ ସେ ଛୋଟ କାଗଜରେ ଲେଖିଥିବା ଔଷଧ ବାହାରୁ କିଣିବା ପାଇଁ କହିଥିବା ନେଇ ରୋଗୀ ନିରଂଜନ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସେ ଅଧୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। କମ୍ୟୁନିଟି ମେଡିସନ ବିଭାଗ ମୁଖ୍ୟ ଏହି ଅଭିଯୋଗର ତଦନ୍ତ କରି ଅଧୀକ୍ଷକଙ୍କୁ ରିପୋର୍ଟ ପ୍ରଦାନ କରିବେ। ଏହାପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।