Categories: ଜାତୀୟ

ଚେତାଶୂନ୍ୟ ମହିଳାଙ୍କ ଅପରେଶନ ଅଧାରେ ଛାଡି ପଳାଇଲେ ଡାକ୍ତର, ଚା’ ନ ମିଳିବାରୁ ରାଗିଗଲେ…

ନାଗପୁର,୮।୧୧ : ମହାରାଷ୍ଟ୍ରର ନାଗପୁରରୁ ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି। ଏଠାରେ ସରକାରୀ ଡାକ୍ତରଖାନାର ଡାକ୍ତର ପରିବାର ଯୋଜନା (ଭାସେକ୍ଟୋମି) ଅପରେଶନ ଛାଡି ପଳାଇ ଯାଇଥିଲେ। ପ୍ରକୃତରେ କୁହାଯାଉଛି ଡାକ୍ତର ଚା’ ମାଗିଥିଲେ କିନ୍ତୁ ତାଙ୍କୁ ଚା’ ମିଳି ନ ଥିଲେ। ଫଳରେ ଏହି କାରଣରୁ ଡାକ୍ତର ରାଗି ଚେତାଶୂନ୍ୟ ମହିଳାଙ୍କ ଅସ୍ତ୍ରୋପଚାରକୁ ମଧ୍ୟଭାଗରେ ଛାଡି ଅପରେଶନ ଥିଏଟରରୁ ବାହାରକୁ ପଳାଇ ଯାଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ଜିଲା ପରିଷଦର ସିଇଓ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଏକ କମିଟି ଗଠନ କରାଯାଇଛି। ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଇଓ କହିଛନ୍ତି।

ନାଗପୁରର ଏକ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଚିନ୍ତାଜନକ ଘଟଣାରେ ଜଣେ ଡାକ୍ତର ସର୍ଜିକାଲ ପଦ୍ଧତିକୁ ଅସମ୍ପୂର୍ଣ୍ଣ ଛାଡି ଚାରି ଜଣ ଅଚେତ ମହିଳାଙ୍କୁ ଅସ୍ତ୍ରୋପଚାରକୁ ଅପେକ୍ଷା କରିଥିବା ଅଭିଯୋଗ ହୋଇଛି। କୁହାଯାଉଛି ଅପରେଶନ ଥିଏଟରରେ ପ୍ରବେଶ କରିବା ପୂର୍ବରୁ ଡାକ୍ତର ଚା’ମାଗିଥିଲେ। କିନ୍ତୁ ତାଙ୍କୁ ଏହା ଦିଆଯାଇ ନ ଥିଲା। ଯାହା ପରେ ଡାକ୍ତର ହଠାତ ଅପରେଶନ ଛାଡି ପଳାଇଥିଲେ। ଏହି ଘଟଣାର ତଦନ୍ତ ପାଇଁ ଜିଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ମହିଳାଙ୍କ ଅସମ୍ପୂର୍ଣ୍ଣ ଅପରେଶନ ଶେଷ କରିବାକୁ ଜିଲା ପ୍ରଶାସନ ଅନ୍ୟ ଜଣେ ଡାକ୍ତରଙ୍କ ବ୍ୟବସ୍ଥା କରିଥିଲେ। ଏହି ଘଟଣା ପରେ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ି ଯାଇଥିଲା। ଡ୍ୟୁଟିରେ ଅବହେଳା ପାଇଁ ଡାକ୍ତରଙ୍କ ଉତ୍ତରଦାୟୀ କରିବା ପାଇଁ ବିଭିନ୍ନ ଦଳ ମଧ୍ୟ ଦାବି କରିଛନ୍ତି। ଜିଲା ପରିଷଦର ଉପ-ସଭାପତି କୁଣ୍ଡା ରାଉତ ଡାକ୍ତରଙ୍କ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯଦି ଯାଞ୍ଚ କମିଟି ଡାକ୍ତରଙ୍କୁ ଦୋଷୀ ସାବ୍ୟସ୍ତ କରନ୍ତି, ତେବେ ଜିଲା ପରିଷଦ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଦୋଷୀ ସାବ୍ୟସ୍ତ ହେଲେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୦୪ ଅନୁଯାୟୀ ଡାକ୍ତରଙ୍କ ବିରୋଧରେ ହତ୍ୟା ଅଭିଯୋଗ ଦାଏର କରିବାକୁ ମଧ୍ୟ ଦାବି କରାଯାଇଛି।

Share