ଡାକ୍ତର ତିିଆରି କଲେ ଏମିତି ମେଶିନ, ଏଥିରୁ ରୋଗୀଙ୍କୁ ଦେଉଛନ୍ତି ଅମ୍ଳଜାନ

ଭୋପାଳ,୪।୫: ମଧ୍ୟପ୍ରଦେଶର ମାଲଓ୍ବା ଜିଲାରେ ରୋଗୀଙ୍କୁ ଲଗାତର ଅକ୍ସିଜେନ ଅଭାବ ପଡୁଥିବା ଦେଖିବାକୁ ମିଳିଛି। ସରକାରୀ ହସ୍ପିଟାଲର ଡାକ୍ତର ଏବଂ କର୍ମଚାରୀ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି। ଏପରି ସ୍ଥିତିରେ ଏହି ହସ୍ପିଟାଲର ଜଣେ ଡାକ୍ତର ଏକ ମେଶିନ ତିଆରି କରିଛନ୍ତି। ଏହା ଦ୍ୱାରା ବାୟୁରୁ ଅମ୍ଳଜାନ ଟାଣି ଜରୁରିକାଳୀନ ପରିସ୍ଥିତିରେ ରୋଗୀଙ୍କୁ ଦିଆଯିବ। ହସ୍ପିଟାଲକୁ ଆସୁଥିବା ଗୁରୁତର ରୋଗୀଙ୍କ ଅକ୍ସିଜେନ ସଙ୍କଟ ଦୂର କରିବାକୁ ଡାକ୍ତର ବ୍ରଜଭୂଷଣ ପାଟିଦାର ଦାନ୍ତ ଡାକ୍ତରଖାନାରେ କାମରେ ଲାଗୁଥିବା କମ୍ପ୍ରେସର ମେଶିନରେ କିଛି ନୂତନତ୍ୱ ସୃଷ୍ଟି କରି ଏମିତି ଭିନ୍ନ ଏକ ମେଶିନ ତିଆରି କରିଛନ୍ତି। ଯେଉଁଥିରେ ବାୟୁମଣ୍ଡଳରୁ ପବନ ଟାଣି ରୋଗୀଙ୍କୁ ଦିଆଯାଇପାରିବ।ଫଳରେ ଅକ୍ସିଜେନ ଅଭାବ ପୂରଣ ହୋଇପାରିବ।

ଡାକ୍ତର ପଟିଦାର କୁହନ୍ତି, ଗତ କିଛିଦିନ ହେଲା ଅକ୍ସିଜେନ ସିଲିଣ୍ଡରର ଆବଶ୍ୟକତା ବହୁତ ବଢ଼ିଯାଇଛି। ଏହାକୁ ରିଫିଲ କରିବା ସମସ୍ୟା ଦେଖାଦେଇଛି। ଫଳରେ ଗୁରୁତର ରୋଗୀଙ୍କୁ ଅକ୍ସିଜେନର ଅଭାବ ପଡୁଛି। ଯେଉଁ ସମସ୍ୟା ଆମେ ପ୍ରତିଦିନ ସାମ୍ନା କରିଆସୁଛୁ। ତେଣୁ ସେ ଏମିତି ଏକ ମେଶିନ ତିଆରି କରିବେ ବୋଲି ଭାବିଥିଲେ। ଏଥିରେ ତାଙ୍କର ୨୦ରୁ ୨୫ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଡାକ୍ତରଙ୍କ ଏପରି ଜନହିତକର କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟୁଛି।

Share