Categories: ଜାତୀୟ

କୋଲକାତା ବଳାତ୍କାର ମାମଲାରେ ଅଭିଯୁକ୍ତ ସଞ୍ଜୟଙ୍କ ବିଷୟରେ ଜାଣିବାକୁ ମିଳିଲା ଏମିତି, ଶୁଣି ଆଶ୍ଚର୍ଯ୍ୟ ହୋଇଗଲା ସିବିଆଇ

କୋଲକାତା, ୨୨।୮: କୋଲକାତା ଆର.ଜି କର ହସ୍ପିଟାଲର ଟ୍ରେନି ଡାକ୍ତରଙ୍କ ବଳାତ୍କାର ଏବଂ ହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ନେଇ ବଡ଼ କବର ସାମ୍ନାକୁ ଆସିଛି। ୮ ଏବଂ ୯ ଅଗଷ୍ଟ ମଧ୍ୟରାତ୍ରୀରେ ଟ୍ରେନି ଡାକ୍ତରଙ୍କୁ ହତ୍ୟା କରିଥିଲେ। ହେଲେ ହତ୍ୟା କରିବା ପୂର୍ବରୁ ଏବଂ ହତ୍ୟା କରିବା ପରେ ମଧ୍ୟ ସେ ମହିଳାଙ୍କୁ ଅସଦାଚରଣ କରିବା ବନ୍ଦ କରିନଥିଲେ। ସଞ୍ଜୟ ରୟଙ୍କୁ ଗିରଫ କରିବା ପରେ ଯେତେବେଳେ ସିବିଆଇ ଗତ ୨୪ ଘଣ୍ଟା ମଧ୍ୟରେ ତାଙ୍କର ସ୍କ୍ରିନିଙ୍ଗ୍‌ ଆରମ୍ଭ କରିଥିଲା, ସେତେବେଳେ ତାଙ୍କ ବିଷୟରେ ଏଭଳି ସୂଚନା ପାଇବା ପରେ ଅଧିକାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

୮ ଏବଂ ୯ ଅଗଷ୍ଟ ସମୟରେ ସଞ୍ଜୟ ରୟ ଅଲଗା ଅଲଗା ବାହାନା କରି ୪ ଥର ହସ୍ପିଟାଲକୁ ଆସିଥିଲେ। ଏଥିରେ ୩ଥର ହସ୍ପିଟାଲ ଭିତରକୁ ଆସି ବୁଲାବୁଲି କରିଥିଲେ। ହେଲେ ୪ଥର ତଥା ଶେଷ ଥର ପାଇଁ ଯେତେବେଳେ ସେ ହସ୍ପିଟାଲରୁ ବାହାରକୁ ଆସିଥିଲେ, ସେତେବେଳେ ଟ୍ରେନି ଡାକ୍ତରଙ୍କ ସହ ବଳାତ୍କାର ଏବଂ ହତ୍ୟା ହୋଇସାରିଥିଲା। ହେଲେ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି କି ଦୁର୍ଘଟଣା ଘଟାଇବା ପୂର୍ବରୁ ଅଭିଯୁକ୍ତ ସଞ୍ଜୟ ରେଡଲାଇଟ୍‌ ଅଞ୍ଚଳକୁ ଯାଇଥିଲେ। ସେଠାରେ ରାସ୍ତାରେ ଜଣେ ମହିଳାଙ୍କ ସହ ଅସଦାଚରଣ କରିଥିଲେ। ଏତିକିରେ ବି ସଞ୍ଜୟଙ୍କ କାରନାମା ଶେଷ ହୋଇନାହିଁ। ଟ୍ରେନି ଡାକ୍ତରଙ୍କ ସହ ବଳାତ୍କାର ଆଉ ହତ୍ୟା କରିବା ପରେ ମଧ୍ୟ ସେ ଆଉ ଜଣେ ମହିଳାଙ୍କୁ ଫୋନ କରିଥିଲେ।

ଅନ୍ୟପଟେ ସିବିଆଇ ଅଭିଯୁକ୍ତ ସଞ୍ଜୟ ରୟଙ୍କ ଉପରେ ସାଇକୋଆନାଲିସିସ କରିଥିଲା। ଏହି ପରୀକ୍ଷଣରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ ଜଣେ ଯୌନ ବିକୃତ ମାନସିକତା ଥିବା ବ୍ୟକ୍ତି ବୋଲି ମନସ୍ତାତ୍ତ୍ୱିକ ପରୀକ୍ଷଣରୁ ଜଣାପଡିଛି।

କୋଲକାତାର ଆର୍‌.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି। ଘଟଣାର ଅପରାଧୀଙ୍କୁ ଶୀଘ୍ର ଧରିବାକୁ ଦାବି ହେଉଛି।

 

Share