ନିଶା ଦେଇ ଶାରୀରିକ ସମ୍ପର୍କ ରଖିଲେ ଡାକ୍ତର

ସମ୍ବଲପୁର,୫ା୨(ବ୍ୟୁରୋ): ନିଶା ବଟିକା ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଜଣେ ଡାକ୍ତର। ସମ୍ବଲପୁର ଜିଲା ବୁର୍ଲା ଥାନାରେ ଗତ ୧ ତାରିଖରେ ଏହି ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ। ଅଭିଯୋଗ ମୁତାବକ ନୂଆପଡ଼ା ଜିଲାରେ କାର୍ଯ୍ୟରତ ଡାକ୍ତର କମଳାକାନ୍ତ ସାହୁଙ୍କ ନାମରେ ପୋଲିସ ଏକ ମାମଲା (ନଂ.୬୯/୨୨) ରୁଜୁକରି ତଦନ୍ତ ଆରମ୍ଭ କରିଛି। ହେଲେ ପୋଲିସ ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରୁ ନ ଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଡାକ୍ତର ସାହୁ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି।

ଅଭିଯୋଗ ମୁତାବକ, ଡାକ୍ତର କମଳାକାନ୍ତ ବୁର୍ଲା ଭିମ୍‌ସାରରେ ପଢୁଥିବା ସମୟରେ ଯୁବତୀ ଜଣଙ୍କ ନିଜ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ଯାଇଥିଲେ। ଏହି ସମୟରେ ଡାକ୍ତର ଯୁବତୀଙ୍କ ସହ ସମ୍ପର୍କ ବଢାଇଥିଲେ। ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା। ପରେ କମଳାକାନ୍ତ ଯୁବତୀଙ୍କୁ ବାହାରକୁ ବୁଲାଇନେବାକୁ କହି ନିଶାବଟିକା ଦେଇ ବଳାତ୍କାର କରିଥିଲେ। ଯୁବତୀ ଜଣକ ଗର୍ଭଧାରଣ କରିଥିବା ଜାଣିବା ପରେ ଅଭିଯୁକ୍ତ ଡାକ୍ତର ତାଙ୍କୁ ଔଷଧ ଦେଇ ଗର୍ଭପାତ କରିଥିଲେ। ପରେ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ। ଯୁବତୀ ପୁଣିଥରେ ଗର୍ଭଧାରଣ କରିବାରୁ ଡାକ୍ତର ତାଙ୍କ ଗର୍ଭପାତ କରିଥିଲେ। କମଳାକାନ୍ତଙ୍କ ନୂଆପଡା ଜିଲାରେ ପୋଷ୍ଟିଂ ହେବା ପରେ ଯୁବତୀଙ୍କଠାରୁ ଦୂରେଇ ଯାଇଥିଲେ। ତାଙ୍କୁ ବିବାହ କରିବାକୁ ଯୁବତୀ କହିବାକୁ ସେ ମନା କରି ଦେଇଥିଲେ। ଶେଷରେ ଅନ୍ୟ ଉପାୟ ନ ପାଇ ଯୁବତୀ ଜଣଙ୍କ ଆଇନର ଆଶ୍ରୟ ନେଇଛନ୍ତି। ଜଣେ ଡାକ୍ତର ହୋଇ ଗର୍ଭପାତ କରାଇବା ଓ ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଉଛି। ଏ ସମ୍ପର୍କରେ ବୁର୍ଲା ଥାନା ଅଧିକାରୀ କମଳ ଲୋଚନ ପଣ୍ଡା କହିଛନ୍ତି, ଯୁବତୀଙ୍କ ଅଭିଯୋଗ କ୍ରମେ ଥାନାରେ ମାମଲା ରୁଜୁ ହୋଇଛି। ଯୁବତୀଙ୍କ ଡାକ୍ତରୀ ମାଇନା ସହ ୧୬୪ରେ ବୟାନ ରେକର୍ଡ କରାଯାଇଛି। ପ୍ରମାଣ ସଂଗ୍ରହ କରାଯାଉଛି। ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ।

Share