Categories: ଜାତୀୟ

ଦାନ୍ତ ଘଷୁ ଘଷୁ ଗିଳିଦେଲେ ଟୁଥ୍‌ ବ୍ରଶ୍‌

ଔରଙ୍ଗାବାଦ,୩୦।୧୨: ମହାରାଷ୍ଟ୍ରର ଔରଙ୍ଗାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ଦାନ୍ତ ଘଷୁ ଘଷୁ ଟୁଥ ବ୍ରଶକୁ ଗିଳି ଦେଇଛନ୍ତି। ଔରଙ୍ଗାବାଦ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲର ଡାକ୍ତରମାନେ ସଫଳତାର ସହ ଚିକିତ୍ସା କରି ସେହି ବ୍ୟକ୍ତିଙ୍କ ପେଟରୁ ଟୁଥ ବ୍ରଶ ବାହାର କରିଥିଲେ। ଏହି ବ୍ୟକ୍ତିଙ୍କ ନାମ ହେଉଛି ରାଜେଶ ଯାଦବ। ଡାକ୍ତରଙ୍କ କହିବାନୁସାରେ, ଡିସେମ୍ବର ୨୬ରେ ସକାଳେ ବ୍ରଶ କରିବାବେଳେ ରାଜେଶ ପୁରା ଟୁଥ ବ୍ରଶକୁ ଗିଳି ଦେଇଥିଲେ। ପରେ ରାଜେଶଙ୍କ ପେଟରେ ଅତ୍ୟଧିକ ଯନ୍ତ୍ରଣା ହେବାକୁ ଲାଗିଲା। ତାଙ୍କୁ ପରିବାର ଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହା ପରେ ସିଟି ସ୍କାନରୁ ଜଣାପଡିଥିଲା ରାଜେଶଙ୍କ ପେଟରେ ପୁରା ଟୁଥ ବ୍ରଶଟି ଅଛି। ସିଟି ସ୍କାନ ରିପୋର୍ଟ ଦେଖିବା ପରେ ଡାକ୍ତରଙ୍କ ଏକ ଟିମ ତୁରନ୍ତ ଅସ୍ତ୍ରୋପଚାର କରିଥିଲେ ଏବଂ ସଫଳତାର ସହିତ ପେଟରୁ ବ୍ରଶ ବାହାର କରିଥିଲେ। ଅସ୍ତ୍ରୋପଚାର କରିଥିବା ଡାକ୍ତରମାନେ କହିଛନ୍ତି ଯେ ରୋଗୀ ଏବେ ଭଲ ଅଛନ୍ତି, ଭୟଭୀତ ହେବାର କୌଣସି କାରଣ ନାହିଁ।

Share