ପ୍ରସୂତି ମହିଳାଙ୍କୁ ମାଡ଼ ମାରିଲେ ଡାକ୍ତର: ସିଡିଏମ୍‌ଓ କହିଲେ ତଦନ୍ତ ହେବ

ଝାରସୁଗୁଡ଼ା ଅଫିସ,୧୦ା୫: ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଚିକିତ୍ସା ସମୟରେ ପ୍ରସୂତି ମହିଳାମାନଙ୍କୁ ଡାକ୍ତର ଜଣକ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଏ ନେଇ ପୀଡିତା ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅଭିଯୋଗ କରିଛନ୍ତି।

ସିଡିଏମ୍‌ଓ ଡା. ଡୋଲାମଣି ପଟେଲ କହିଛନ୍ତି, ଏ ସମ୍ପର୍କରେ ତାଙ୍କ ନିକଟରେ ମୋଭିନ୍‌ ଖାନ୍‌ ନାମକ ବ୍ୟକ୍ତି ଅଭିଯୋଗ କରିଛନ୍ତି। ଏହାର ତଦନ୍ତ କରାଯିବ। ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ସେ କହିଥିଲେ। ଚିକିତ୍ସା କରୁଥିବା ଡାକ୍ତର ସଚ୍ଚିଦାନନ୍ଦ ଦନ୍ତା କହିଛନ୍ତି, ମହିଳାମାନେ ପ୍ରସୂତି ପାଇଁ ଆସିଥିଲେ। ସେମାନଙ୍କୁ ଆନାସ୍ଥେସିଆ ଇଞ୍ଜେକଶନ୍‌ ଦିଆଯାଇଥିଲା। ଏହି ସମୟରେ କେତେଜଣ ପ୍ରସୂତି ମହିଳାଙ୍କ ହାଟ୍‌ବିଟ୍‌, ବିପି ଆଦି କମିଯାଇଥିଲା। ଫଳରେ ସେମାନଙ୍କ ଶରୀରରେ ଅସ୍ଥିରତା ଦେଖାଦେଇଥିଲା। ଏଥିପାଇଁ ଡାକ୍ତରୀ ଚିକିତ୍ସା ନିୟମ ଅନୁଯାୟୀ ମୁଣ୍ଡ ଓ ମୁହଁକୁ ସାମାନ୍ୟ ହଲାଇ ଦିଆଯାଇଥିଲା । ସେମିତି କୌଣସି ଉଦ୍ଦେଶ୍ୟମୂଳକ ଭାବେ ସେମାନଙ୍କୁ ମାଡ଼ ମାରିନାହିଁ ବୋଲି ସେ କହିଥିଲେ।