Categories: ଜାତୀୟ

ସେଲ୍‌ଫି ନେବା ବେଳେ ଡ୍ୟାମ୍‌ରେ ଭାସିଗଲେ ଡାକ୍ତରଙ୍କ ସ୍ତ୍ରୀ

ଭୋପାଳ,୨୮ା୯: ଭୋପାଳସ୍ଥିତ ହଲାଲି ଡ୍ୟାମକୁ ବୁଲିବାକୁ ଆସି ଜଣେ ଡାକ୍ତରଙ୍କ ସ୍ତ୍ରୀ ପାଣିରେ ଭାସି ଯାଇଛନ୍ତି। ଡ୍ୟାମ୍‌ ନିକଟରେ ଡାକ୍ତରଙ୍କ ସ୍ତ୍ରୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ସେ ଭାରସାମ୍ୟ ହରାଇ ୧୨ ଫୁଟ ତଳକୁ ଖସିପଡ଼ିଥିଲେ।
ଭୋପାଳର କୋଲାରରେ ରହୁଥିବା ଡାକ୍ତର ଉତ୍କର୍ଷ ମିଶ୍ର ଏବଂ ତାଙ୍କ ସ୍ତ୍ରୀ ହିମାନୀ ମିଶ୍ର ଭୋପାଳଠାରୁ ପ୍ରାୟ ୪୦ କିଲୋମିଟର ଦୂର ହଲାଲି ଡ୍ୟାମ୍‌ ବୁଲିବାକୁ ଆସିଥିଲେ। ରବିବାର ଛୁଟି ଥିବାରୁ ଭୋପାଳର ଅଧିକାଂଶ ଲୋକ ଏଠାକୁ ବୁଲିବାକୁ ଆସିଥିଲେ। ଡାକ୍ତର ଉତ୍କର୍ଷଙ୍କ କହିବା ଅନୁଯାୟୀ, ସେ ମୋବାଇଲ୍‌ରେ ବ୍ୟସ୍ତ ଥିଲେ। ଏହି ସମୟରେ ତାଙ୍କ ସ୍ତ୍ରୀ ସେଲ୍‌ଫି ନେବାରେ ଲାଗିଥିଲେ। ସେ ମଧ୍ୟ ଜାଣିନାହାନ୍ତି କେତେବେଳେ ତାଙ୍କ ସ୍ତ୍ରୀଙ୍କ ଗୋଡ଼ ଖସିଗଲା। ପରେ ଦେଖିଲାବେଳକୁ ସେ ତାଙ୍କ ପାଖରେ ନାହାନ୍ତି। ପାଣିରେ ଭାସି ଯାଉଛନ୍ତି। ଏହି ଘଟଣା ଜାଣିବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ମାତ୍ର ସୋମବାର ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିନାହିଁ।

Share