Advertisement

ମାଣ୍ଡିଆ ରାଣୀ ରାଇମତିଙ୍କୁ ଡକ୍ଟରେଟ୍‌

କୁନ୍ଦୁରା,୫ା୧୨(ସନ୍ତୋଷ ପ୍ରହରାଜ): ଜୈବିକ ପଦ୍ଧତିରେ ମାଣ୍ଡିଆ, ଧାନ ଚାଷ କରି ଜିଲା, ରାଜ୍ୟ ଏବଂ ସର୍ବଭାରତୀୟସ୍ତରରେ ଚର୍ଚ୍ଚାରେ ରହିଥିବା କୋରାପୁଟ ଜିଲା କୁନ୍ଦୁରା ବ୍ଲକ୍‌ ଲିମା ପଞ୍ଚାୟତ ନୂଆଗୁଡାର ମାଣ୍ଡିଆ ରାଣୀ ରାଇମତି ଘିଉରିଆଙ୍କୁ ଗୁରୁବାର ଭୁବନେଶ୍ୱର କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଇଟି)ର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡକ୍ଟରେଟ୍‌ ଉପାଧି ପ୍ରଦାନ କରିଛନ୍ତି।

କୁନ୍ଦୁରା ବ୍ଲକ୍‌ ଲିମା ପଞ୍ଚାୟତର ନୂଆଗୁଡାରେ ପ୍ରାୟ ଶହେରୁ ଅଧିକ ଦେଶୀ ଧାନ ସଂଗ୍ରହ କରି ରଖିବା ସହ ଜୈବିକ ପଦ୍ଧତିରେ ସେ ଚାଷ କରୁଛନ୍ତି। ଏମ୍‌ଏସ୍‌ ସ୍ବାମୀନାଥନ ସଂସ୍ଥା ଦ୍ୱାରା ନୂଆଗୁଡାରେ ଏକ ଗ୍ରାମ୍ୟ ସାଧନ କେନ୍ଦ୍ର ଥିବା ବେଳେ ସେଠାରେ ସମସ୍ତ ପ୍ରକାରର ଦେଶୀ ଧାନ ଏବଂ ମାଣ୍ଡିଆ ବିହନ ଗଚ୍ଛିତ କରି ରଖିଛନ୍ତି।

ଆର୍ଥିକ ସ୍ବଚ୍ଛଳ ନ ଥିଲେ ମଧ୍ୟ ରାଇମତି ସ୍ବାମୀଙ୍କ ସହ ମିଶି ଘର ଖାଇବା ପାଇଁ ଧାନ ଚାଷ କରିବା ସହ ଲୋକଙ୍କୁ ବିହନ ଯୋଗାଇବା ଏବଂ ବିରଳ ଦେଶୀ ଚାଉଳ ବଜାରକୁ ଯୋଗାଉଛନ୍ତି। ଦିଲ୍ଲୀରେ ଅନୁଷ୍ଠିତ ଜି ୨୦ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରି ୨୦ ଦେଶର ନେତାଙ୍କ ନିକଟରେ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି।

ଚଳିତବର୍ଷ ବ୍ଲକ୍‌ସ୍ତରୀୟ ପରବ ଉତ୍ସବରେ କୋଟପାଡ଼ ବିଧାୟକ ରୂପୁ ଭତ୍ରାଙ୍କ ଦ୍ୱାରା ପରବ ପ୍ରତିଭା ସମ୍ମାନରେ ସମ୍ମାନିତ ହୋଇଛନ୍ତି। ରାଇମତିଙ୍କୁ ଏହି ଉପାଧି ମିଳିବା ନେଇ ବିଧାୟକ ଭତ୍ରା, ଜିଲା ପରିଷଦ ଉପାଧ୍ୟକ୍ଷ ରାଧା ବିନୋଦ ସାମନ୍ତରାୟ, ଦିଗାପୁର ମଣ୍ଡଳ ସଭାପତି ବଦ୍ରି ନାରାୟଣ ଆଚାର୍ଯ୍ୟ,ଆଦିବାସୀ ସଂସ୍କୃତି ଗବେଷକ ଡକ୍ଟର ରାଜେନ୍ଦ୍ର ପ୍ରସାଦ ପାଢ଼ୀ, ସମାଜିକ କର୍ମୀ ସଞ୍ଜୟ ସାହୁ, ଏମ୍‌ପିଙ୍କ ପ୍ରତିନିଧି ଅମ୍ବୁ ପାତ୍ର ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share