Categories: ଜାତୀୟ

ରୋଗୀଙ୍କ କିଡନୀରୁ ବାହାରିଲା ୨୦୬ଟି ଷ୍ଟୋନ୍‌

ହାଇଦ୍ରାବାଦ,୧୯।୫: ଦୀର୍ଘ ୬ ମାସ ଧରି ପେଟରେ ଯନ୍ତ୍ରଣା ଭୋଗୁଥିବା ଜଣେ ୫୬ ବର୍ଷୀୟ ବ୍ୟକ୍ତିଙ୍କ କିିଡନୀରୁ ବାହାରିଲା ୨୦୬ଟି ଷ୍ଟୋନ। ଅଓ୍ବେର ଗ୍ଲେନିଗଲ୍ସ ଗ୍ଲୋବାଲ୍ସ ହସ୍ପିଟାଲର ଏକ ଡାକ୍ତରୀ ଦଳ ଏକ ଘଣ୍ଟା ଧରି ଅପରେଶନ୍‌ କରିବା ପରେ ଉକ୍ତ ବ୍ୟକ୍ତିଙ୍କ କିଡନୀରୁ ୨୦୬ଟି ଷ୍ଟୋନ ସଫଳ ଭାବେ ବାହାର କରାଯାଇଛି। ଉକ୍ତ ବ୍ୟକ୍ତିଙ୍କ ଶରୀରରୁ ବାହାରିଥିବା ଷ୍ଟୋନର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ନାଲଗୋଣ୍ଡାରେ ରହୁଥିବା ୫୬ ବର୍ଷୀୟ ବୀରମଲ୍ଲା ରାମଲକ୍ଷ୍ମେଆଙ୍କୁ ଦୀର୍ଘ ୬ମାସ ଧରି ପେଟରେ ଯନ୍ତ୍ରଣା ହେଉଥିଲା। ଏପ୍ରିଲ ୨୨ରେ ବୀରମଲ୍ଲା ହାଇଦ୍ରାବାଦର ଅଓ୍ବେର ଗ୍ଲେନିଗଲ୍ସ ଗ୍ଲୋବାଲ୍ସ ହସ୍ପିଟାଲରେ ଚିକିତ୍ସା ପାଇଁ ଆସିଥିଲେ। ହସ୍ପିଟାଲର ବରିଷ୍ଠ ୟୁରୋଲୋଜିଷ୍ଟ ଡାକ୍ତର ପୁଲା ନବୀନ କୁମାର ବୀରମଲ୍ଲାଙ୍କ ପ୍ରଥମେ ପ୍ରାଥମିକ ପରୀକ୍ଷା ଓ ଅଲଟ୍ରାସାଉଣ୍ଡ କରିବା ପରେ ଜଣାପଡ଼ିଥିଲା ଯେ, ତାଙ୍କ ପେଟର ବାମ ପାର୍ଶ୍ୱରେ ଏକାଧିକ କିଡନୀ ଷ୍ଟୋନ ରହିଛି। ଏଥିସହ ସିଟି କ୍ୟୁବ ସ୍କାନରୁ ମଧ୍ୟ ସମାନ ତଥ୍ୟ ସାମ୍ନାକୁ ଆସିଥିଲା। ଏହାପରେ ଡାକ୍ତରୀ ଟିମ ରୋଗୀଙ୍କ ସହ ପରାମର୍ଶ କରି କି’ହୋଲ ସର୍ଜରୀ ପାଇଁ ପ୍ରସ୍ତୁତ ହୋଇଥିଲେ। ପ୍ରାୟ ୧ ଘଣ୍ଟା ଧରି ଏହି ଅପରେଶନ ଚାଲିଥିବା ବେଳେ ରୋଗୀଙ୍କ ପେଟରୁ ସମସ୍ତ ୨୦୬ ଷ୍ଟୋନ ସଫଳ ଭାବେ ବାହାର କରାଯାଇଥିଲା। ଏବେ ସେ ସୁସ୍ଥ ଅଛନ୍ତି ଏବଂ ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଛି ବୋଲି ଡାକ୍ତର କହିଛନ୍ତି। ଅନ୍ୟପଟେ ହସ୍ପିଟାଲର ଡାକ୍ତରଙ୍କ କହିବା କଥା ଚଳିତ ବର୍ଷ ପ୍ରବଳ ଖରା ହେଉଛି। ଏଥିପାଇଁ ଅଧିକାଂଶ ଲୋକ ଡିହାଇଡ୍ରେସନର ସମ୍ମୁଖୀନ ହେଉଛନ୍ତି। ଡିହାଇଡ୍ରେସନ ଯୋଗୁ କିଡନୀରେ ଷ୍ଟୋନ ହେବାର ଆଶଙ୍କା ଅଧିକ ରହୁଛି। ତେଣୁ ଡାକ୍ତରମାନେ ଲୋକଙ୍କୁ ଅଧିକ ପାଣି ପିଇବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ପଇଡ଼ ପାଣି ପିଇବାକୁ ମଧ୍ୟ ଡାକ୍ତର ପରାମର୍ଶ ଦେଇଛନ୍ତି।

Share