Categories: ଜାତୀୟ

ବୃଦ୍ଧି ହେବ ଡାକ୍ତରଙ୍କ ଅବସର ବୟସ ସୀମା

ଲକ୍ଷ୍ନୌ,୨୦ ।୯: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଡାକ୍ତରଙ୍କ ଅବସର ବୟସ ସୀମାକୁ ଆଉ ୫ ବର୍ଷ ବଢାଇବାକୁ ନିଷ୍ପତ୍ତିି ନେଇଛନ୍ତି । ଏଥିପାଇଁ ପ୍ରସ୍ତାବ ପ୍ରସ୍ତୁତ କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଏମିତି ପ୍ରସ୍ତାବକୁ ନେଇ କେତେକ ଡାକ୍ତର ଖୁସିଥିବା ବେଳେ ଅନ୍ୟ କେତେକ ଏହାକୁ ବିରୋଧ କରୁଛନ୍ତି । ବର୍ତ୍ତମାନ ଡାକ୍ତରଙ୍କ ଅବସର ବୟସ ସୀମା ରହିଛି ୬୫ ଏହାକୁ ଆଉ ୫ ବର୍ଷ ବୃଦ୍ଧି କରାଗଲେ ଡାକ୍ତରଙ୍କ ଅବସର ବୟସ ସୀମା ୭୦ ହୋଇଯିବ । ତେବେ କରୋନା ସମୟରେ ଡାକ୍ତରଙ୍କ ଅଭାବକୁ ପରିଲକ୍ଷିତ କରି ଯୋଗୀ ସରକାର ଏଭଳି ପ୍ରସ୍ତାବ ଆଣିଥିବା କୁହାଯାଉଛି । ଏହାସହ ଅନୁଭବି ଡାକ୍ତରଙ୍କଠାରୁ ଭଲ ସେବା ମିଳିବ ବୋଲି ମଧ୍ୟ ଚିନ୍ତା କରାଯାଇଛି । ହେଲେ ଲକ୍ଷ୍ନୌରେ ଥିବା ସଞ୍ଜୟ ଗାନ୍ଧୀ ସ୍ନାତକୋତ୍ତର ଆୟୁର୍ବିଜ୍ଞାନ ସଂସ୍ଥାନର ଫ୍ୟାକଲ୍ଟି ଫୋରମ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ ବିରୋଧ କରିଛି । ଫୋରମର ସଦସ୍ୟଙ୍କ କହିବା କଥା ହେଲା ବୟସ ବଢିବା ସହ ଶାରୀରିକ ଓ ମାନସିକ ସମସ୍ୟା ମଧ୍ୟ ଦେଖାଯାଇଥାଏ । ତେଣୁ ଅଧିକ ବୟସର ଡାକ୍ତର ଭଲ ଚିକିତ୍ସା କରି ନ ପାରନ୍ତି । ଏହାସହ ଯଦି ଜଣେ ଡାକ୍ତର ୭୦ ବର୍ଷ ବୟସ ପର୍ଯ୍ୟନ୍ତ କାମ କରନ୍ତି ତେବେ ନୂଆମାନଙ୍କୁ ସୁଯୋଗ ମିଳିପାରିବ ନାହିଁ । ତେଣୁ ଏହି ବୟସସୀମା ବୃଦ୍ଧି କରିବା ଅନୁଚିତ । ଅନ୍ୟପଟେ ବିହାରର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ବୟସ ବଢିଲେ ଅନୁଭୁତି ବଢିଥାଏ । ତେଣୁ ଜଣେ ଅଧିକ ବୟସର ଡାକ୍ତର ରୋଗୀଙ୍କର ଭଲ ଚିକିତ୍ସା କରିପାରିବେ । ଏମିତି ଦେଖାଯାଇଛି କି ଅବସର ପରେ ଡାକ୍ତରମାନେ ନିଜର କ୍ଲିନିକ ଖୋଲି ବସୁଛନ୍ତି ଅବା କୌଣସି ଘରୋଇ ଡାକ୍ତରଖାନାରେ କାମ କରୁଛନ୍ତି । ତେଣୁ ଏହି ସମୟ ମଧ୍ୟରେ ସେ ଯଦି ସରକାରଙ୍କୁ ସେହି ସେବା ଯୋଗାଇ ଦିଅନ୍ତି ତେବେ ସେଥିରେ ସମସ୍ତଙ୍କର ଲାଭ ହେବ । ଏହି ପ୍ରସ୍ତାବ କ୍ୟାବିନେଟରେ ମଞ୍ଜୁରୀ ପାଇବା ପରେ ଯାଇ ଲାଗୁ କରାଯିବ ।

Share