Categories: ଜାତୀୟ

ଭିଡିଓ କନ୍‌ଫରେନ୍ସ ଜରିଆରେ ରୋଗୀଙ୍କ ଜୀବନ ବଞ୍ଚାଇଲେ ଡାକ୍ତର

ନୂଆଦିଲ୍ଲୀ, ୩୦।୭: ଜାତୀୟ ରାଜଧାନୀ ଦିଲ୍ଲୀସ୍ଥିତ ସାର୍‌ ଗଙ୍ଗାରାମ ହସ୍ପିଟାଲର ଡାକ୍ତରମାନେ ଭିଡିଓ କନ୍‌ଫରେନ୍ସ ଜରିଆରେ ଜଣେ ରୋଗୀଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି। ଲିଭର ଫେଲ୍ୟୁଅର ହୋଇଥିବା ଏହି ରୋଗୀଜଣଙ୍କ ଆସାମ ବନ୍ୟାରେ ଫଶିଯାଇଥିଲେ। ଏବେ ସେ ସୁସ୍ଥ ଥିବା ଜଣାପଡ଼ିଛି। ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ, ଦୁଇ ସପ୍ତାହ ତଳେ ଆସାମ ବନ୍ୟାରେ ଫଶିଥିବା ଲାଲଚାନ୍ଦ ବିଶ୍ୱାସ ନାମକ ଏହି ରୋଗୀଙ୍କ ଫାର୍ମାସିଷ୍ଟ ସାଙ୍ଗ ମୋଫିସୁର ରେହମାନ ହସ୍ପିଟାଲର ସର୍ଜିକାଲ ଗ୍ୟାସୋଏଣ୍ଡ୍ରୋଲୋଜି ଏବଂ ଲିଭର ଟ୍ରାନ୍ସପ୍ଲାଣ୍ଟ ବିଭାଗକୁ ଫୋନ କରିଥିଲେ। ଏହି ବିଭାଗର ଡାକ୍ତର ଉଷଥ ଧୀରଙ୍କୁ ଫୋନ କରି ମୋଫିସୁର ଗୁରୁତର ଥିବା ତାଙ୍କ ସାଙ୍ଗ ଲାଲଚାନ୍ଦକୁ ବଞ୍ଚାଇବା ଲାଗି ସହାୟତା ମାଗିଥିଲେ। ଏହାପରେ ହସ୍ପିଟାଲ ପକ୍ଷରୁ ଭିଡିଓ କନ୍‌ଫରେନ୍ସ ଜରିଆରେ ତୁରନ୍ତ ମେଡିକାଲ ପରାମର୍ଶ ଦିଆଯିବା ଲାଗି ବ୍ୟବସ୍ଥା କରାଯାଇଥିଲା। ତେବେ ଯେଉଁ ଏରିଆରେ ରୋଗୀଜଣଙ୍କ ଥିଲେ ସେଠାରେ ମୋବାଇଲ ସିଗ୍‌ନାଲ ସେତେ ଭଲରେ ଆସୁ ନ ଥିଲା। ତେଣୁ ଲାଲଚାନ୍ଦଙ୍କୁ ତାଙ୍କ ସାଙ୍ଗ ମୋଫିସୁର ଡଙ୍ଗା ସହାୟତାରେ ଏମିତି ଏକ ସ୍ଥାନକୁ ନେଇଥିଲେ ଯେଉଁଠାରେ ମୋବାଇଲ ସିଗ୍‌ନାଲ ବ୍ୟବସ୍ଥା ଉପଲବ୍ଧ ଥିଲା। ମୋଫିସୁର ସେହି ଛୋଟ ଡଙ୍ଗାରେ ଭିଡିଓ କନ୍‌ଫରେନ୍ସର ବ୍ୟବସ୍ଥା କରିଥିଲେ। ସୌଭାଗ୍ୟବଶତଃ ମୋଫିସୁର ଜଣେ ଫାର୍ମାସିଷ୍ଟ ହୋଇଥିବାରୁ ସେ ଡାକ୍ତର ଉଷଥ ଧୀରଙ୍କ ମେଡିକାଲ ସମ୍ବନ୍ଧୀୟ ପରାମର୍ଶକୁ ମଧ୍ୟ ସହଜରେ ବୁଝିପାରୁଥିଲେ। ମୋଫିସୁର ଇଞ୍ଜେକସନ ଦେବା ସହ ଏନିମା ମଧ୍ୟ ଚଳାଇବାକୁ ସକ୍ଷମ ହୋଇଥିଲେ। ଏହାପରେ ଏକ ଘଣ୍ଟା ପରେ ଲାଲଚାନ୍ଦଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଥିଲା। ସେତେବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡ଼ିଥିଲା। ଏଥିସହ ହସ୍ପିଟାଲ ପକ୍ଷରୁ ରୋଗୀଙ୍କ ନିକଟକୁ ଆଗାମୀ ଏକ ମାସ ଲାଗି ଜୀବନ ରକ୍ଷାକାରୀ ଔଷଧ ମଧ୍ୟ ପଠାଯାଇଛି। ସେହିଭଳି ବର୍ତ୍ତମାନ ଲକ୍‌ ଡାଉନ ଉଠିଯାଇଥିବାରୁ ଲାଲଚାନ୍ଦଙ୍କୁ ଦିଲ୍ଲୀ ଆଣି ଅଧିକ ଚିକିତ୍ସା ଯୋଗାଇ ଦେବା ଲାଗି ଚେଷ୍ଟା କରାଯିବ ବୋଲି ହସ୍ପିଟାଲ କୁହାଯାଇଛି।

Share