କୋଭିଡ୍‌ ହସ୍ପିଟାଲରେ ଡାକ୍ତର ଆନ୍ଦୋଳନ

ନୂଆଦିଲ୍ଲୀ, ୧୨।୧୦: ମହାମାରୀ କରୋନା କାଳରେ ଜୀବନକୁ ବାଜି ଲଗାଇ କାମ କରୁଥିବା ଡାକ୍ତର ଓ ନର୍ସ (କୋଭିଡ୍‌ ଯୋଦ୍ଧା)ଙ୍କୁ ଦିଲ୍ଲୀ ସରକାରଙ୍କ ହତାଦର ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ୪ ମାସ ହେଲା ଦରମା ନ ପାଇ ଏମାନେ କାମ କରିଆସୁଥିଲେ। ଦିଲ୍ଲୀର ହିନ୍ଦୁ ରାଓ ହସ୍ପିଟାଲରେ ରବିବାର ଏହା ଆନ୍ଦୋଳନର ରୂପ ନେଇଛି। ତୁରନ୍ତ ଦରମା ପ୍ରଦାନ କରିବାକୁ ଆନ୍ଦୋଳନକାରୀମାନେ ହସ୍ପିଟାଲ ବାହାରେ ଦାବି କରିଛନ୍ତି। ଗତ କିଛି ସପ୍ତାହ ହେବ ୨୨୦ ରେସିଡେଣ୍ଟ ଡାକ୍ତର ଓ ୩୦୦ ନର୍ସିଂ ଷ୍ଟାଫ୍‌ କାମ ବନ୍ଦ କରିଥିଲେ। ଉତ୍ତର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ ଦ୍ୱାରା ପରିଚାଳିତ ଏହି ହସ୍ପିଟାଲ ଗତ ଜୁନ୍‌ ମାସରୁ କରୋନା ରୋଗୀଙ୍କ ଲାଗି କାମ କରିଆସୁଛି। ଆନ୍ଦୋଳନ ଡାକରା ପରେ ଦିଲ୍ଲୀ ସରକାର କେତେକ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଥିବା ଜଣାପଡ଼ିଛି। ଏଭଳି ବିକଳ ସ୍ଥିତିକୁ ନେଇ ଜନସାଧାରଣ ଦିଲ୍ଲୀର ଆମ୍‌ ଆଦ୍‌ମୀ ସରକାରଙ୍କ କାର୍ଯ୍ୟଧାରାକୁ ସମାଲୋଚନା କରିଛନ୍ତି।

Share