Categories: ଜାତୀୟ

ଡାକ୍ତରଙ୍କ ସାକ୍ଷ୍ୟ ପ୍ରାସଙ୍ଗିକ, ମାତ୍ର ମୁଖ୍ୟ ସାକ୍ଷ୍ୟ ଭାବେ ଗ୍ରହଣ ଯୋଗ୍ୟ ନୁହେଁ, ହାଇକୋର୍ଟଙ୍କ ରାୟ…

ଗ୍ବାଲିୟର୍‌, ୩୦।୧ : ଯେ କୌଣସି ମାମଲାରେ ଡାକ୍ତରଙ୍କ ସାକ୍ଷ୍ୟ ପ୍ରାସଙ୍ଗିକ, ମାତ୍ର ମୁଖ୍ୟ ସାକ୍ଷ୍ୟ ଭାବେ ଗ୍ରହଣ ଯୋଗ୍ୟ ନୁହେଁ ବୋଲି ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଗ୍ବାଲିୟର୍‌ ବେଞ୍ଚ କହିଛନ୍ତି। ସାକ୍ଷ୍ୟ ପ୍ରମାଣ ଆଇନର ଧାରା ୪୫ ଅନୁଯାୟୀ ଡାକ୍ତରଙ୍କ ମତ ପ୍ରାସଙ୍ଗିକ। କିନ୍ତୁ ଏହା ମହତ୍ତପୂର୍ଣ୍ଣ ତଥା ପ୍ରକୃତ ପ୍ରମାଣର ସ୍ଥାନ ଗ୍ରହଣ କରିପାରିବ ନାହିଁ କିମ୍ବା ଏହା ନିର୍ଣ୍ଣାୟକ ସିଦ୍ଧାନ୍ତ ହୋଇପାରିବ ନାହିଁ। କାରଣ ଏହା ହେଉଛି କେବଳ ଏକ ମତାମତ ପ୍ରମାଣ।

ଜଷ୍ଟିସ ରାଜୀବ କୁମାର ଶ୍ରୀବାସ୍ତବଙ୍କ ନେତୃତ୍ୱରେ ଗଠିତ ଏକ ଡିଭିଜନ ବେଞ୍ଚ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୩୦୭, ୩୪ ଏବଂ ୪୫୨ ଅନୁଯାୟୀ ଦାଖଲ ହୋଇଥିବା ଏକ ମାମଲାକୁ ଖାରଜ କରିଦେଇଛନ୍ତି। ମାମଲାରେ ଡାକ୍ତରଙ୍କ ସାକ୍ଷ୍ୟ ଅନୁସାରେ ଅଭିଯୁକ୍ତଙ୍କୁ ତଳ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ପରେ ସମ୍ପୃକ୍ତ ବ୍ୟକ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

କୋର୍ଟ କହିଛନ୍ତି, ଯଦିଓ ପ୍ରମାଣ ଆଇନର ଧାରା ୪୫ର ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଡାକ୍ତରଙ୍କ ମତ ପ୍ରାସଙ୍ଗିକ, କିନ୍ତୁ ତାହା ଯଥେଷ୍ଟ ନୁହେଁ। ଡାକ୍ତରଙ୍କ ମତ ହେଉଛି ଏକ ପ୍ରମାଣ ଏବଂ ଏହା କ୍ୱଚିତ ମୂଳ / ଉପାଦେୟ ପ୍ରମାଣର ସ୍ଥାନ ନେଇପାରେ। କେବଳ ଏକ ମତ ପ୍ରମାଣ ହୋଇଥିବାରୁ ଏହା ଚୂଡାନ୍ତ ହୋଇପାରିବ ନାହିଁ।

Share