Categories: ଜାତୀୟ

ସିନେମା ଆମ ସମାଜର ଦସ୍ତାବିଜ୍‌: ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୮ା୧୦(ପି.ଟି.): ଲୋକଙ୍କ ମଧ୍ୟରେ ସମ୍ପର୍କ ବଢ଼ାଇବାରେ ଚଳଚ୍ଚିତ୍ର କଳାକାରମାନେ ପରିବର୍ତ୍ତନର ଏଜେଣ୍ଟ ଏବଂ ସଚେତନତା ପ୍ରସାରଣରେ ସିନେମା ସବୁଠୁ ପ୍ରଭାବଶାଳୀ ମାଧ୍ୟମ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଅବସରରେ କହିଛନ୍ତି। ବର୍ଷୀୟାନ ଅଭିନେତ୍ରୀ ଓ୍ବାହିଦା ରେହମାନଙ୍କୁ ସମ୍ମାନଜନକ ଦାଦାସାହେବ ଫାଲ୍‌କେ ପୁରସ୍କାର ସମେତ ଅନ୍ୟମାନଙ୍କୁ ପୁରସ୍କୃତ କରିବା ପରେ ରାଷ୍ଟ୍ରପତି ଉଦ୍‌ବୋଧନ ଦେଇ କହିଥିଲେ, ଚଳଚ୍ଚିତ୍ର କେବଳ ବ୍ୟବସାୟ ଏବଂ ମନୋରଞ୍ଜନରେ ସୀମିତ ନୁହେଁ। ଏହା ଆମ ସମାଜର ଏକ ଦସ୍ତାବିଜ ଏବଂ ଏହାକୁ ବିକଶିତ କରିବାର ମାଧ୍ୟମ। ଚଳିତ ବର୍ଷର ପୁରସ୍କାର ବିଜୟୀ ଚଳଚ୍ଚିତ୍ରଗୁଡ଼ିକ ଜଳବାୟୁ ପରିବର୍ତ୍ତନ, ନାବାଳିକା ଚାଲାଣ, ନାରୀ ନିର୍ଯାତନା, ଦୁର୍ନୀତି ଏବଂ ସାମାଜିକ ଶୋଷଣ ଆଦି ବିଭିନ୍ନ ପ୍ରସଙ୍ଗକୁ ମୁକାବିଲା କରିବାରେ ସହାୟକ ହୋଇଛି। ଭାରତୀୟ ଚଳଚ୍ଚିତ୍ର ଦେଶର ସାମାଜିକ ବିବିଧତା ଏବଂ ଉନ୍ନତ ସାଂସ୍କୃତିକ ଐତିହ୍ୟର ପ୍ରଚାରରେ ସହାୟକ ହେବାର ବିଶ୍ୱାସ ରହିଛି। ଏହି ଚଳଚ୍ଚିତ୍ରଗୁଡ଼ିକ କେବଳ ଦେଶ ଓ ସମାଜ ପାଇଁ ଲାଭଦାୟକ ନୁହେଁ, ବ୍ୟବସାୟିକ ସଫଳତା ପାଇଁ ମଧ୍ୟ ଲାଭଦାୟକ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଭାରତୀୟ ଚିତ୍ରଶିଳ୍ପ ପାଇଁ ଗର୍ବ ଅନୁଭବ କରୁଥିବା କହିଥିଲେ।

Share