ମୋଦିଙ୍କ ଉପରେ ନିର୍ମିତ ଡକ୍ୟୁମେଣ୍ଟାରୀ ଅପମାନଜନକ: ବ୍ରିଟେନ୍‌ ସାଂସଦ

ନୂଆଦିଲ୍ଲୀ/ଲଣ୍ଡନ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିସିସିଆଇର ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ। ଏହି ମାମଲାରେ ବ୍ରିଟେନର ଜଣେ ସାଂସଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରିଛନ୍ତି। ବ୍ରିଟେନର ସାଂସଦ ରବର୍ଟ ବ୍ଲାକ୍‌ମ୍ୟାନ୍‌ ଡକ୍ୟୁମେଣ୍ଟାରୀ ‘ଇଣ୍ଡିଆ: ଦ ମୋଦି କ୍ୱେଶ୍ଚିନ’ ବିଷୟକୁ ନେଇ ବିବିସି ଉପରେ ପ୍ରଶ୍ନ ଉଠାଇଛନ୍ତି।
ବ୍ଲାକମ୍ୟାନ ଜୟପୁରରେ ମୋଦିଙ୍କ ସପକ୍ଷରେ ମତ ଦେଇ କହିଛନ୍ତି, ବିବିସି ଡକ୍ୟୁମେଣ୍ଟାରୀ ବ୍ୟଙ୍ଗ ଏବଂ ଅପମାନରେ ପରିପୂର୍ଣ୍ଣ। ମୁଁ ଡକ୍ୟୁମେଣ୍ଟାରୀର ଉଭୟ ଅଂଶ ଦେଖିଛି। ଏହା ଦେଖି ମୋର ରକ୍ତ ତାତି ଉଠିଥିଲା। ମୁଁ ଭାବୁଛି ବିବିସି ଏଭଳି କାର୍ଯ୍ୟକଳାପରେ ଲିପ୍ତ ରହିବା ଉଚିତ୍‌ ନୁହେଁ। ଦେଶରେ କଣ ଦେଖାଯାଇପାରିବ ଏବଂ ଦେଖାଯାଇପାରିବ ନାହିଁ ତାହା ସ୍ଥିର କରିବାରେ ଭାରତ ସରକାରଙ୍କର ଅଧିକାର ଅଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡକ୍ୟୁମେଣ୍ଟାରୀ ସହିତ ଭାରତର ବିବିସି କାର୍ଯ୍ୟାଳୟରେ ଆୟକର ଅନୁସନ୍ଧାନର କୌଣସି ସମ୍ପର୍କ ନାହିଁ ବୋଲି ରବର୍ଟ କହିଛନ୍ତି। ଆୟକର ବିଭାଗର ୧୫ଜଣ ଅଧିକାରୀଙ୍କ ଏକ ଟିମ ମଙ୍ଗଳବାର ଦିଲ୍ଲୀ ଏବଂ ମୁମ୍ବାଇର ବିବିସି କାର୍ଯ୍ୟାଳୟରେ ଚଢାଉ କରିଥିଲେ। ଏହି ଚଢାଉ ଅନ୍ତର୍ଜାତୀୟ ଟିକସ ଏବଂ ଟ୍ରାନ୍ସଫର ମୂଲ୍ୟ ଅନିୟମିତତା ଅଭିଯୋଗ ସହ ଜଡିତ ଥିଲା।

Share