ମହାକାଳପଡ଼ା,୩୧ା୩ (ଡି.ଏନ.ଏ.): ଦିନ ଥିଲା ଅଝଟ ପିଲାଙ୍କୁ କୋଳରେ ବସାଇ ମା’ ଘରଚଟିଆ ଚଢ଼େଇକୁ ଦେଖେଇ ତୁନି କରୁଥିଲା। ସମୟ ବଦଳି ଯାଇଛି ଘରଚଟିଆଙ୍କ କିଚିରି ମିଚିରି ଶବ୍ଦ ଆଉ ଶୁଭୁନାହିଁ। ଗାଁ ଗଣ୍ଡାରେ ନଡ଼ା ଛପର ଘର ଦେଖିବାକୁ ମିଳୁନି। ଯେଉଁ ଚାଳଛପର ଘରେ ଘରଚଟିଆ ବସା ବାନ୍ଧି ନିଜର କୁନି କୁନି ଥଣ୍ଟରେ ତା’ର ଶାବକଙ୍କୁ ଆଧାର ଦେଇ ଖୁସିରେ ରହୁଥିଲା, ଏବେ ସେ ବାସହରା। କାରଣ ଗାଁ ଗହଳିରେ ପକ୍କାଘର ନିର୍ମାଣ ହେବା ଦ୍ୱାରା ଆଶ୍ରୟ ନ ପାଇବାରୁ ଏମାନେ ଗାଁ ଛାଡ଼ି ପାଖ ବୁଦୁବୁଦିଆ ଜଙ୍ଗଲରେ କୋଚିତ ମାତ୍ରାରେ ଦେଖିବାକୁ ମିଳୁଛନ୍ତି। ୭୦ ଦଶକରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ଗାଁ ଗଣ୍ଡାରେ ବହୁଳ ପରିମାଣରେ ଘର ଚଟିଆ ବସା ବାନ୍ଧି ଚାଳ ଛପର ଘରେ ବସବାସ କରୁଥିଲେ। ସକାଳ ହେଲେ ବସାରୁ ବାହାରି ଗାଁ ଦାଣ୍ଡ, ଘର ଅଗଣାରେ ପଡ଼ିଥିବା ଖାଦ୍ୟ, ଖୁଦ, ମଳୁଖ, ମୁଢ଼ି, ରୁଟି ଓ ଚାଷ ଜମିରୁ ପୋକ ଆଦିକୁ ଖାଉଥିଲେ। ଅପରପକ୍ଷରେ ବିପର୍ଯ୍ୟୟ ଆସିବାର ଢେର୍ ପୂର୍ବରୁ ଘର ଚଟିଆ ଚଢ଼େଇମାନେ ଶହଶହ ସଂଖ୍ୟାର ସଂଘ ବଦ୍ଧ ହୋଇ ଆକାଶରେ ଚକର କାଟନ୍ତି। ଏମାନେ ଆକାଶରେ ଖୁବ୍ ଉପର ଭାଗରେ ଉଡ଼ି ବୁଲିଥାନ୍ତି।
ଅପରପକ୍ଷରେ ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ଓ ପରିବେଶ ସନ୍ତୁଳନ ରକ୍ଷା କରିବାରେ ଏମାନଙ୍କ ପ୍ରମୁଖ ଭୂମିକା ଲିଭାଇଥାନ୍ତି। ୧୯୭୧ ସାମୁଦ୍ରିକ ବାତ୍ୟା, ୧୯୮୨ ସାମୁଦ୍ରିକ ବାତ୍ୟା, ୧୯୯୯ ମହାବାତ୍ୟା ପରେ ଜଙ୍ଗଲ ନଷ୍ଟ ହେବା ଦ୍ୱାରା ଏମାନଙ୍କ ବଂଶ ବିଲୁପ୍ତ ହେବାର ଲାଗିଛି। ଗୋଟେ ପଟରେ ପ୍ରାକୃତିକ ବିପର୍ଯ୍ୟୟରେ ଚାଳ ଛପର ଘର ଭାଙ୍ଗିଗଲା। ଅନ୍ୟପକ୍ଷେ ବାତ୍ୟାରେ ବହୁ ମାତ୍ରାରେ ଏମାନଙ୍କ ମୃତ୍ୟୁ ଘଟିଲା। ଫଳରେ ସେବେଠାରୁ ଆଉ ଗାଁ ଗଣ୍ଡାରେ ଥିବା କେତେକ ଚାଳ ଛପର ଘରେ ଘର ଚଟିଆମାନଙ୍କୁ ଦେଖିବାକୁ ମିଳୁନାହିଁ। ଏହି ଚଢ଼େଇମାନେ ବର୍ଷ କରେ ୨ ଥର ଡିମ୍ବ ଦେଇଥାନ୍ତି। ଚାଳ ଘରକୁ ସୁରକ୍ଷିତ ମଣି ଏମାନେ ଆଶ୍ରା ନେଇଥାନ୍ତି। ଏମାନେ ବାହ୍ୟ ଶତ୍ରୁଠାରୁ ରକ୍ଷା ପାଇବାକୁ ମାଈ ଚଢ଼େଇ ନିଜ ଡିମ୍ବକୁ ଉଷୁମ ଦେବା ପାଇଁ ଜଗି ରହିଥିବା ବେଳେ ଅଣ୍ଡିରା ପକ୍ଷୀଟି ଖାଦ୍ୟ ଯୋଗାଡ଼ କରି ଆଣି ଦେଇଥାଏ। ୨୧ ଦିନ ପରେ ଡିମ୍ବ ଫୁଟି ଶାବକ ଜନ୍ମ ନେଇଥାଏ। ସେ ପର୍ଯ୍ୟନ୍ତ ମା’ ଚଢ଼େଇଟି ଶାବକମାନଙ୍କୁ ନିଜ ଡେଣା ତଳେ ସୁରକ୍ଷିତ ଭାବେ ଜଗିଥାଏ। ଏ ସମ୍ପର୍କରେ ପକ୍ଷୀପ୍ରେମୀ ସୁବାସ ସ୍ବାଇଁ କୁହନ୍ତି, ଏମାନଙ୍କ ସୁରକ୍ଷା, ସଂରକ୍ଷଣ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହେବା ଆବଶ୍ୟକ। ଏମନେ କୁନି କୁନି ଚଢ଼େଇ ହେଲେ ମଧ୍ୟ ବିଗିଡି ଯାଉଥିବା ପରିବେଶକୁ ସନ୍ତୁଳନ ରକ୍ଷା କରନ୍ତି। ଯଦି ଏବେଠାରୁ ଘରଚଟିଆଙ୍କୁ ସୁରକ୍ଷା ଦିଆ ନ ଯାଏ ଭବିଷ୍ୟତର ପିଢ଼ିମାନେ କେବଳ ଚିତ୍ରରେ ଦେଖିବା ସାର ହେବ।