ସୁରଟ,୨୪।୨(ଆଇଏଏନ୍ଏସ୍):ସୁରଟରେ ୨ ବର୍ଷର ଶିଶୁକନ୍ୟାକୁ ୩/୪ଟି କୁକୁର ଆକ୍ରମଣକରି ଗୁରୁତର ଆହତ କରିଥିଲେ। ୩୦ରୁ ୪୦ କାମୁଡ଼ା କ୍ଷତ ଥିବା ଶିଶୁଟି ସୁରଟର ଏକ ସରକାରୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ପ୍ରାଣ ହରାଇଛି। ଶିଶୁର ମାଆବାପା ଦିନ ମଜୁରିଆ। ସେମାନେ ଖଜୋହ ଅଞ୍ଚଳର ଡାଇମଣ୍ଡ ବୁର୍ସ ନିକଟ ଲେବର କଲୋନିରେ ରହୁଥିଲେ। ରବିବାର ସେମାନେ କାମକୁ ଯାଇଥିବାବେଳେ ଝିଅକୁ କୁକୁର କାମୁଡ଼ିଥିବା ଖବର ପାଇ ଘରକୁ ଫେରିଥିଲେ। ଝିଅକୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। କୁକୁର ଶିଶୁର ମୁଣ୍ଡ, ହାତ, ଗୋଡ଼କୁ ୩୦ରୁ ୪୦ ଥର କାମୁଡ଼ିଥିଲେ। କେତେକ କ୍ଷତ ଅଧିକ ଗଭୀର ଥିଲା ବୋଲି ଡାକ୍ତର କହିଛନ୍ତି। ଅସ୍ତ୍ରୋପଚାର ପରେ ଶିଶୁଟିର ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେଇଥିଲେ ମଧ୍ୟ ଗୁରୁବାର ତାଙ୍କର ମୃତ୍ୟୁ ଘଟିଛି। ସୁରଟରେ ୨୦ ହଜାର କୁକୁର ଥିବାବେଳେ ଦୈନିକ ୩୦ଟିର ଷ୍ଟେରିଲାଇଜେଶନ କରାଯାଉଥବା ପୌର ନିଗମ ପକ୍ଷରୁ କୁହାଯାଇଛି।