ମାନେକା ଗାନ୍ଧୀ
କିଛି ସପ୍ତାହ ପୂର୍ବରୁ କେବଳ ‘ପିପୁଲ ଫର୍ ଆନିମଲସ୍’(ପିଏଫ୍ଏ) ସଂସ୍ଥାର ମୁଖ୍ୟମାନଙ୍କୁ ନେଇ ଏକ ହ୍ବାଟ୍ସଆପ୍ ଗ୍ରୁପ କରିଥିଲି। ସେମାନଙ୍କ ମଧ୍ୟରୁ ପ୍ରାୟ ୨୨୦ ଜଣ ଏହି ଗ୍ରୁପରେ ରହିଛନ୍ତି। ଏହା ସବୁଠୁ ଭଲ ଥିଲା, କାରଣ ଏବେ ମୁଁ ପ୍ରତିଦିନ ସେମାନଙ୍କ କାର୍ଯ୍ୟ ଦେଖିପାରୁଛି ଏବଂ ସେମାନେ ପ୍ରତ୍ୟେକ ବି ଭାରତ ପାଇଁ ଆଶୀର୍ବାଦ। ଗୁରୁତର ଆହତ ତଥା ଭୟାକ୍ରାନ୍ତ ଜୀବମାନଙ୍କୁ ସେମାନେ ଉଦ୍ଧାର କରୁଛନ୍ତି। ଶିଙ୍ଗରେ କ୍ୟାନସର ସେଲ୍ ବୃଦ୍ଧିପାଇଥିବା, କାର୍ ଆଘାତରେ ଗୋଡ ଭାଙ୍ଗିଯାଇଥିବା, ମୁଣ୍ଡ ଓ ଗଳା ମାଗଟ( ଏକ ପ୍ରକାର ମାଛିର ଲାର୍ଭା) ଦ୍ୱାରା ସଂକ୍ରମିତ ହୋଇଥିବା ଜୀବମାନଙ୍କୁ ପିଏଫଏ ଟିମ୍ ଉଦ୍ଧାର କରିଛନ୍ତି। ମୁଁ ଏହି ନିଃସ୍ବାର୍ଥପର ହିରୋମାନଙ୍କୁ ପ୍ରଶଂସା କରେ।
ଏହି ସମୟରେ ସାରା ଭାରତରେ ପିଏଫ୍ଏ ମାଗଟ ସଂକ୍ରମିତ କୁକୁରଙ୍କୁ ସବୁଠୁ ବେଶି ଉଦ୍ଧାର କରିଛି। ଏହାବାଦ ବହୁ ଗଧ ଓ ଗାଈଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି। ପଚା ଘା,ତ୍ୱଚା ସମସ୍ୟା ଥିବା ତଥା ଚାଲିପାରୁ ନ ଥିବା କୁକୁରଙ୍କୁ ମାଗଟ ସଂକ୍ରମଣ ହେବାର ସମ୍ଭାବନା ବେଶି। ଘା କିମ୍ବା ମଳ ମୂତ୍ର ଲାଗି ରହିଥିତ୍ବା ଓଦା ଚମଡାରେ ମାଛି ଅଣ୍ଡା ଦେଇଥାନ୍ତି। କିଛି ଘଣ୍ଟା ମଧ୍ୟରେ ଅଣ୍ଡା ଫୁଟି ଅତି ଛୋଟ ଈଷତ ହଳଦିଆ ରଙ୍ଗର ମାଗଟ ବାହାରି ମାଂସ ଖାଇବା ଆରମ୍ଭ କରିଦିଅନ୍ତି। ପ୍ରଥମେ ଏହି ମାଗଟଗୁଡିକ ମଇଳା କିମ୍ବା ମୃତ ତ୍ୱଚା ଖାଆନ୍ତି। ଏହା ସରିଗଲା ପରେ ସେମାନେ ଲାଳରେ ଏକ ପ୍ରକାର ଏଞ୍ଜାଇମ ନିର୍ଗତ କରିଥାନ୍ତି ଯାହା ତ୍ୱଚାରେ କ୍ଷୁଦ୍ର କଣା କରିଦିଏ ଏବଂ ମାଗଟଗୁଡିକ ଏହା ମାଧ୍ୟମରେ ଚମଡା ଭିତରକୁ ପଶିଯାଆନ୍ତି। ମାଗଟ କ୍ଷରଣ କରୁଥିବା ଏଞ୍ଜାଇମ ତ୍ୱଚାରେ ଥିବା ସୁସ୍ଥ କୋଷକୁ ନଷ୍ଟ କରିବା ଦ୍ୱାରା କୁକୁରଠାରୁ ପଚା ଗନ୍ଧ ବାହାରେ। ଏହି ଯନ୍ତ୍ରଣାଦାୟକ ସ୍ଥିତିରେ ତା ବ୍ୟବହାର ଅସ୍ବାଭାବିକ ମନେହୁଏ ଓ ଯାହାଫଳରେ ଲୋକମାନେ ତାକୁ ପାଗଳ ମନେକରି ପଥର ମାଡ କରନ୍ତି, ଯାହାଦ୍ୱାରା ତା’ର ମୃତ୍ୟୁ ଘଟିଥାଏ। ବହୁ ବର୍ଷ ତଳେ ଲୋକମାନେ ପାଗଳ ପାଗଳ ବୋଲି ଚିକତ୍ାର କରି ଆକ୍ରମଣ କରୁଥିବା ଗୋଟିଏ କୁକୁରକୁ ମୁଁ ଉଦ୍ଧାର କରିଥିଲି। ତା ମୁଣ୍ଡରୁ ଅଧା ମାଗଟ ଖାଇଯାଇଥିଲେ। ତାକୁ ମୁଁ ମୋ କାର୍ରେ ରଖିଲି ଓ ସେହି ରାତିରେ ଆମେ ଚିକିତ୍ସା କରି ତା ମୁଣ୍ଡରୁ ଶହଶହ ମାଗଟ ବହାର କଲୁ। ସେ ମୋ ଘରେ ଦୁଇ ବର୍ଷ ରହିଲା ଓ ଶାନ୍ତିରେ ମଲା।
ସ୍କ୍ରୁଓ୍ବର୍ମ ଫ୍ଲାଇ (ଏକ ପ୍ରକାର ମାଛି, ଯାହାର ଲାର୍ଭା ଜୀବନ୍ତ ଟିସ୍ୟୁକୁ ଖାଇଥାନ୍ତି) ସବୁଠୁ ବିପଜ୍ଜନକ। ଶରୀରର ଛୁଞ୍ଚିମୁନ ଭଳି କ୍ଷତ ଏକ ମାଛିକୁ ଆମନ୍ତ୍ରଣ କରିପାରେ। ମାଛି ତା’ ଉପରେ ମିନିଟଏ ମଧ୍ୟରେ ଅଣ୍ଡା ଦିଅନ୍ତି। ଯେଉଁ କ୍ଷତକୁ କୁକୁରର ଜିଭ ପାଏ ସେମାନେ ତାହାକୁ ଚାଟି ଦିଅନ୍ତି। କିନ୍ତୁ କାନ,ମୁଣ୍ଡର ଯେ କୌଣସି ଜାଗା, ବେକ, ଆଖି ଏବଂ ପାଟି ଏବଂ ମଳଦ୍ୱାରରେ କ୍ଷତ ହେଲେ ତାହା ସେ କରିପାରେ ନାହିଁ। ଏହାଦ୍ୱାରା ଏହି ସବୁ ଜାଗାରେ ମାଗଟ ଘା’କୁ ବଢାଇଦିଅନ୍ତି। ଛୁଞ୍ଚିମୁନ ଭଳି କଣା ହୋଇଥିବାବେଳେ ଏହାକୁ ଜାଣିବା ସହଜ ନୁହେଁ। ମାଗଟଗୁଡିକ ସେହି କଣା ଦେଇ ଭିତରକୁ ଗାତ କରି ପଶିଯାଆନ୍ତି। ତେବେ ତୁମେ ଏମାନଙ୍କୁୁ ସହଜରେ ବାହାର କରିପାରିବ। ଗୁରୁତର ହୋଇ ନ ଥିଲେ କୁକୁରକୁ ମେଡିକାଲ ନେବାକୁ ପଡିବନି। ଏପରିକି ପ୍ରାଣୀ ଚିକିତ୍ସକଙ୍କ ବିନା ସ୍ବେଚ୍ଛାସେବୀମାନେ ପ୍ରାଥମିକ ଚିକିତ୍ସା ଯୋଗାଇ ଦେଇପାରିବେ। ଯଦି ପ୍ରାଣୀମାନଙ୍କ ଯନତ୍ ନେଉଛ କିମ୍ବା ସେମାନଙ୍କୁ ଖୁଆଉଛ, ସେ କ୍ଷେତ୍ରରେ ତୁମେ ଫାଷ୍ଟଏଡ୍ ବକ୍ସରେ କ’ଣ ରଖିବ କେମିତି ଯନତ୍ ନେବ ତାହା ଜଣାଉଛି। ମୁଁ ନିମ୍ନରେ ଉଲ୍ଲିଖିତ ସବୁ ଜିନିଷ ମୁମ୍ବାଇରେ ବହୁ ବର୍ଷ ଧରି ସେବା ଯୋଗାଉଥିବା ଅବୋଧ ଅର୍ସଙ୍କ ଦ୍ୱାରା ପରିଚାଳିତ ‘ଓ୍ବେଲଫେୟାର ଅଫ୍ ଷ୍ଟାରି ଡଗ୍ସ’ଠାରୁ ଆଣୁଛି। ସେଗୁଡିକ ହେଲା; ଗୋଟିଏ ମୁଜେଲ (ତୁଣ୍ଡି), କେତୋଟି ଫୋରଶେପ,ହିମାକ୍ସ ମଲମ,ଆକ୍ରିଲିନ କିମ୍ବା ଲୋରେକ୍ସନେ, କୋ୍ଲରୋଫର୍ମ, ଆୟୋଡିନ ଟିଙ୍କଚର, ନେବାସଲ୍ଫ, କ୍ଲିନ୍ କଟନ ଉଲ୍ (ସଫା ତୁଳା) , ଟର୍ପେଣ୍ଟାଇନ, ନିମ୍ବ ତେଲ, ଟୁପିକିୟୋର ସ୍ପ୍ର୍ରେ ଓ ବେଟାଡିନ।
୧-ପ୍ରତ୍ୟେକ ଘା’କୁ ଡ୍ରେସିଂ କଲାବେଳେ କୁକୁର ମୁହଁରେ ତୁଣ୍ଡି ବାନ୍ଧିବା ଉଚିତ । କାରଣ ଯନ୍ତ୍ରଣାରେ ହୁଏତ କୁକୁର କାମୁଡି ଦେଇପାରେ। ଯଦି ପାରୁଛ ଘା’ର ଚାରିପାଖରୁ ଲୋମ କାଟିଦିଅ। କାରଣ ଏହି ଲୋମରେ ରହିଥିବା ଜୀବାଣୁ ଘା’କୁ ପୁଣି ସଂକ୍ରମିତ କରିପାରନ୍ତି।
୨-ମୁଣ୍ଡକୁ ଛାଡି ଅନ୍ୟ ଘା’ଗୁଡିକରେ ୧୦ ରୁ ୧୫ ବୁନ୍ଦା କ୍ଲୋରୋଫର୍ମ ପକାଇ କିଛି ସମୟ ଛାଡି ଦିଅ। ଏହାପରେ ଘା’ର ମୁହଁକୁ ତୁଳାରେ ବନ୍ଦ କରିଦିଅ , ଯାହାଦ୍ୱାରା ମାଗଟଗୁଡିକ ଶ୍ୱାସରୁଦ୍ଧ ହୋଇ ମରିଯିବେ। ଏହି ସମୟରେ କୁକୁରକୁ ଭୀଷଣ ଯନ୍ତ୍ରଣା ହୋଇପାରେ। ଏଣୁ କୁକୁର ଯେମିତ ବନ୍ଧାହୋଇ ରହିବ ସେଥିପ୍ରତି ନଜର ରଖିବେ , ନଚେତ ଦୌଡି ପଳାଇବ। ମୁଣ୍ଡରେ ଥିବା ଘା’ରେ କ୍ଲୋରୋଫର୍ମ ବ୍ୟବହାର କରିବେନି। ଏହା ବଦଳରେ ଟର୍ପେଣ୍ଟାଇନ ତେଲ, ନିମ୍ବ ତେଲ ଭଲ। ରଙ୍ଗରେ ବ୍ୟବହାର କରାଯାଉଥିବା ଟର୍ପେଣ୍ଟାଇନ ତେଲ, କିରୋସିନ, ପେଟ୍ରୋଲ, ଫିନାଇଲ କିମ୍ବା ହାଇଡ୍ରୋଜେନ ପେରକ୍ସସାଇଡ କେବେ ବି ବ୍ୟବହାର କରିବେ ନାହିଁ। ଏହା କୁକୁରକୁ ମାରିଦେବ। ଘା’ରେ ମାଗଟ ବଞ୍ଚିଛନ୍ତି କି ନାହିଁ ତାହା ଭଲ କି ଦେଖ। ଯଦି ବଞ୍ଚିଥାନ୍ତି ତେବେ ସେଥିରେ ଆଉ କିଛି ବୁନ୍ଦା କ୍ଲୋରୋଫର୍ମ ପକାଇ ପୁଣି କିଛି ସମୟ ତା ମୁହଁକୁ ତୁଳାରେ ବନ୍ଦ କରି ରଖ। ଯେତେବେଳେ ଜାଣିବ ମାଗଟ ମରିଯାଇଛନ୍ତି ଫୋରଶେଫ ବା ଟୁଇଜରକୁ ଡେଟଲ କିମ୍ବା କ୍ଲେରୋଫର୍ମରେ ସଫା କରି ତା ମାଧ୍ୟମରେ ସେମାନଙ୍କୁ ବାହାର କରିବା ଆରମ୍ଭ କରିଦିଅ। ଯଦି ଘା’ ଶରୀରର ଭିତରକୁ ଅଧିକ ସଂକ୍ରମିତ ହୋଇଥାଏ ତେବେ ସେ କ୍ଷେତ୍ରରେ ବାହାରକୁ କେବଳ ଏକ ଛୋଟ କଣା ଭଳି ଦେଖାଯିବ। ଏଣୁ ଏକ ପ୍ଲାଷ୍ଟିକ ସିରିଞ୍ଜ( ବିନା ଛୁଞ୍ଚି)ରେ ଟର୍ପେଣ୍ଟାଇନ ତେଲ ନେଇ ତାହାକୁ ସେହି କଣା ଭିତରକୁ ସ୍ପ୍ରେ କରି ୫ ରୁ ୬ ଘଣ୍ଟା ଛାଡି ଦିଅ। ଓ୍ୟଷଧର ପ୍ରତିକ୍ରିୟା ପ୍ରକାଶ ପାଇଲେ ମାଗଟ ଘା’ରୁ ବାହରି ତଳେ ପଡିବେ ।
୩- ଘା ଭିତରକୁ ଟର୍ଚ୍ଚ ମାରି ଭଲ ଭାବେ ଦେଖ। ବହୁ ସମୟରେ ମୁଖ୍ୟ ଘା’ରୁ ମାଗଟ ଗୋଟିଏ କିମ୍ବା ଅନେକ ଗାତ କରି ଶରୀର ଭିତରକୁ ଯାଇଥାନ୍ତି। ଯଦି କିଛି ସମୟ ସାବଧାନତାର ସହ ଗାତ ଭିତରକୁ ଲକ୍ଷ୍ୟକରିବ ତେବେ ତା ଭିତରେ ରକ୍ତ ଭଳି ତରଳ ଉପର ତଳ ହେଉଥିବା ଜଣାପଡିବ। ଯେତେବେଳେ ଜାଣିବ ଯେ,ସବୁ ମାଗଟକୁ ଘା’ରୁ ବାହାର କରିଦେଇଛ, ସେତେବେଳେ ଟୋପିକିୟୋର ତା’ ଭିତରେ ସ୍ପେ କରିଦିଅ। କଟୁ ୟୁକାଲପଟାସ ତେଲର ଗନ୍ଧରେ ମାଗଟ ସବୁ ବହାରକୁ ବାହାରିବା ଆରମ୍ଭ କରିଦେବେ।
୪- ମାଗଟ ସଫା ହୋଇଗଲେ ଘା’କୁ ସଂକ୍ରମଣ ମୁକ୍ତ ରଖିବାକୁ ସେଥିରେ ଆୟୋଡିନ ଲୋଶନ ଢାଳି ଦିଅନ୍ତୁ। ବେଟାଡାଇନ କିମ୍ବା ଓକାଡାଇନ ସଲ୍ୟୁଶନ ବି ବ୍ୟବହାର କରିପାରିବେ।
୫-ଘା’ରୁ ଆୟୋଡିନ ବାହାର କରିଦିଅ। ପରେ ତା’ ଭିତରେ ଅଧିକ ପରିମାଣରେ ନେବାସଲ୍ଫ, ନେଗାସଣ୍ଟ କିମ୍ବା ଗଟ୍ବ୍ୟାକ ପାଉଡର ପକାଅ।
୬-ଏହାପରେ ଆକ୍ରିଲିନ କିମ୍ବା ଲୋରେକ୍ସନେ କ୍ରିମ ଘା’ଭିତରେ ଭର୍ତ୍ତି କରିଦିଅ।
୭-ଘାରେ ମାଛି ନ ବସିବା ପାଇଁ ତା’ ଉପରେ ଆୟୁର୍ବେଦିକ କ୍ରିମ ହିମାକ୍ସ ଲଗାନ୍ତୁ। ଏହାର କଡା ଗନ୍ଧରେ ମାଛିମାନେ ଘା’ ଉପରେ ଆଉ ଅଣ୍ଡା ଦେଇପାରିବେ ନାହିଁ କି ପୁଣି ସଂକ୍ରମିତ କରିପାରିବେନାହିଁ। ତେବେ ଏହି ଓ୍ୟଷଧ କେବଳ ଦିନକ ପାଇଁ କାମ କରିବ।
୮- ଘା’ ପୁଣି ସଂକ୍ରମିତ ହୋଇଛି କି ନାହିଁ ତାହା ଜାଣିବା ଲାଗି ପ୍ରତିଦିନ ପରୀକ୍ଷା କରିବା ଦରକାର। ବେଳେବେଳେ ଘା’ରେ ପୂଯ ରହିଯାଇଥାଏ। ଏହାକୁ ଆୟୋଡିନ ହେଉକି ବେଟାଡାଇନ କିମ୍ବା ଓକାଡାଇନ ଦ୍ୱାରା ବାହାର କରି ନେବାସଲ୍ଫ ପାଉଡର ପକାନ୍ତୁ। କୁକୁର ପୂରା ଦୁର୍ବଳ ହୋଇଥିଲେ ଚାଲିପାରିବନି। ଏକ୍ଷେତ୍ରରେ ତାକୁ ରାସ୍ତାରେ ଛାଡି ଦିଅନ୍ତୁନି। ଦରକାର ହେଲେ ତାକୁ ନେଇ ଘରେ ରଖ। ଘା’ ଭିତରେ ଯଦି ପରିପକ୍ୱ ଲାର୍ଭା ଥାନ୍ତି ତେବେ ତାକୁ ବାହାର କରିବା ପାଇଁ ଘା’ଉପରେ କିଛି ତେଲ (ନଡିଆ ତେଲ କିମ୍ବା ନିମ୍ବ ତେଲ ଇତ୍ୟାଦି) ପକାଇଦିଅ। ଏହାଦ୍ୱାରା ସେମାନେ ଅମ୍ଳଜାନ ନ ପାଇ ବାହାରକୁ ବାହାରିଆସିବେ। ପରେ ପାଣିରେ ସଂକ୍ରମିତ ଜାଗାକୁ ସଫା କରି ଘା’ ଉପରେ କିଛି ହଳଦୀ ଲଗାଇ ଦିଅ। ଆଣ୍ଟିବାୟୋଟିକ୍ସ କ୍ରିମ ବା ଅଏଣ୍ଟମେଣ୍ଟ ବି ଲଗାଇପାରିବେ।
କେତେକ ବ୍ୟକ୍ତି ଘା’ରେ ରହିଯାଇଥିବା ମାଗଟକୁ ମାରିବା ପାଇଁ ପାଇରିଥ୍ରିନ କିମ୍ବା ପାଇରିଥ୍ରୋଏଡ ଥିବା ସ୍ପେ (କେବଳ କୁକୁରଙ୍କ ପାଇଁ) ବ୍ୟବହାର କରନ୍ତି। ଏହାକୁ ବ୍ୟବହାର କଲେ କୁକୁରର ଜୀବନ ଚାଲିଯିବାର ଆଶଙ୍କା ରହିଥିବାରୁ କେବଳ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ ନେଇ ବ୍ୟବହାର କରିବା ଉଚିତ। ଯଦି ତୁମେ ପାଖରେ ରାସ୍ତାରେ ରହୁଥିବା କୁକର ହେଉ କି ବିଲେଇ କିମ୍ବା କାଉ ଅବା ଗଧ ଶରୀରରେ ଘା’ ଦେଖ ତେବେ ଆୟୋଡିନ ସଲ୍ୟୁଶନ କିମ୍ବା ବେଟାଡାଇନ, ସିପ୍ଲାଡାଇନ ବା ଓକାଡାଇନରେ ତୁଳା ବୁଢାଇ ତାହାକୁ ସଫା କରିଦିଅ। ସେହି ଘା’ ଉପରେ ନେବାସଲ୍ଫ କିମ୍ବା ନେଓସ୍ପ୍ରିନ ପାଉଡର ପକାଇ ତା’ ଉପରେ ମାଛି ଅଣ୍ଡା ନ ଦେବା ଲାଗି ଲୋରେକ୍ସନେ (ଭିର୍ବ୍ୟାକ ଇଣ୍ଡିଆ) ଲଗାଇବା ପରେ ଏକ ପରସ୍ତ ହିମାକ୍ସ ବୋଳି ଦିଅ। ଏହି ସବୁ ଚିକିତ୍ସା ପରେ କିଛି ଦିନ ଭିତରେ ନୂଆ ଚମଡା ଘା’ ଉପରେ ବାନ୍ଧିଥାଏ। ଜାଣିବ ତୁମ ପ୍ରୟାସ ଓ ଏ ବାବଦରେ କରିଥିବା ଖର୍ଚ୍ଚ ଗୋଟିଏ ଜୀବନ ବଞ୍ଚାଇଦେଇଛି। ମାଗଟ ସଂକ୍ରମଣ ଆପଣାଛାଏ ଉପଶମ ହୋଇଯାଏନି, ଏଥିପାଇଁ ମଣିଷର ପ୍ରୟାସ ଓ ଅସ୍ତକ୍ଷେପ ଲୋଡା।
Email: gandhim@nic.in