ଗୋଡାଇ କାମୁଡୁଛନ୍ତି କୁକୁର

ଭୁବନେଶ୍ୱର, ୧୬।୧୨ (ବନ୍ଦନା ସେଠୀ): ରାଜଧାନୀ ରାସ୍ତାଘାଟରେ ବୁଲା କୁକୁର ରାଜ୍‌ ଚଳାଇଛନ୍ତି। ଗଳିକନ୍ଦିରୁ ରାଜରାସ୍ତାରାରେ ସେମାନଙ୍କ ପ୍ରାର୍ଦୁଭାବ ଦେଖିବାକୁ ମିଳୁଛି। ଗାଡ଼ି ଚାଳକ ହୁଅନ୍ତୁ ଅବା ପଥଚାରୀ, ଏପରିକି ଛୋଟ ପିଲାଙ୍କୁ ମଧ୍ୟ ଏମାନେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ହଠାତ୍‌ ଚଳନ୍ତା ଗାଡ଼ି ଆଗକୁ ଆସି ଯାଉଥିବାରୁ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି। ମହିଳା ଓ ଶିଶୁଙ୍କୁ ଦେଖିଲେ କୁକୁର ବେଶି ଆକ୍ରମଣାତ୍ମକ ହୋଇପଡୁଛନ୍ତି। ଗତ କିଛିଦିନ ହେବ ରାଜଧାନୀରେ କୁକୁର ଉପଦ୍ରବ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇଛି। ଫଳରେ ଘରୁ ବାହାରିଲେ ଡର ଲାଗୁଛି। କେବଳ କ୍ୟାପିଟାଲ ହସ୍ପିଟାଲକୁ ଦୈନିକ ୬୦ରୁ ୭୦ କୁକୁର କାମୁଡ଼ା ରୋଗୀ ଆସିଥିବା ନେଇ ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି। ୧ମାସ ପୂର୍ବରୁ ଏହି ସଂଖ୍ୟା ୩୦ରୁ ୩୫ ମଧ୍ୟରେ ରହିଥିବାବେଳେ ଏବେ ତାହା କ୍ରମାଗତ ଭାବେ ବଢି ଚାଲିଛି। ପ୍ରାୟ ୩ଶହ ରୋଗୀ ଏବେ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଛନ୍ତି। ସହରର ବିଭିନ୍ନ ଅଞ୍ଚଳ ସମେତ ଡାକ୍ତରଖାନା ପରିସରରେ ମଧ୍ୟ ବିଲେଇ, କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଇଛି। ତେବେ ଖୁବ୍‌ଶୀଘ୍ର ଏଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ଡା. ସାହୁ କହିଛନ୍ତି।
ହାଇକୋର୍ଟଙ୍କ ରୋକ୍‌ରୁ ଅସ୍ତ୍ରୋପଚାର ବନ୍ଦ
ଗୋଟେପଟେ କୁକୁରମାନେ ହିଂସ୍ର ହୋଇ ପଡୁଥିବାବେଳେ ହାଇକୋର୍ଟ ରାଜ୍ୟରେ ଆନିମଲ ବାର୍ଥ କଣ୍ଟ୍ରୋଲ (ଏବିସି) କାର୍ଯ୍ୟକ୍ରମ ଉପରେ ରୋକ୍‌ ଲଗାଇଛନ୍ତି। ଫଳରେ କୁକୁରଙ୍କ ସଂଖ୍ୟା କ୍ରମାଗତ ଭାବେ ବଢି ଚାଲିଛି। ପ୍ରଥମେ ଚଳିତ ବର୍ଷ ଅଗଷ୍ଟ ୩୧ଯାଏ ଏବିସି ଉପରେ ରୋକ୍‌ ଲଗାଯାଇଥିଲା। ଏ ସମୟରେ ରାଜ୍ୟରେ କୌଣସି ପ୍ରକାରର ଏବିସି କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏଭଳି ଆଦେଶ ଦେଇଥିଲେ। ଫଳରେ ଜୁଲାଇ ୧୦ରୁ ଏହି କାର୍ଯ୍ୟକ୍ରମ ବନ୍ଦ ରହିଛି। ତେବେ ଏଯାବତ୍‌ କେସ୍‌ର ଫଏସଲା ହୋଇ ପାରୁ ନ ଥିବାରୁ କୁକୁରଙ୍କ ଅସ୍ତ୍ରୋପଚାର ବନ୍ଦ ରହିଛି। ବିଏମ୍‌ସି ସୂଚନା ମୁତାବକ, ବର୍ଷକୁ ୨ହଜାରରୁ ଊର୍ଦ୍ଧ୍ୱ କୁକୁର ଛୁଆ ଜନ୍ମ ହେଉଛନ୍ତି। ଏକ ଆକଳନ ଅନୁଯାୟୀ ଏବେ ସହରରେ ୬୦ହଜାରରୁ ଊର୍ଦ୍ଧ୍ୱ କୁକୁର ରହିଛନ୍ତି। ବିଏମ୍‌ସି ପୂର୍ବରୁ ଦିନକୁ ୨୦ରୁ ୨୫ଟି ହିସାବରେ ମାସକୁ ୫ରୁ ୬ଶହ କୁକୁରଙ୍କ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରୁଥିବାବେଳେ ଏବେ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବନ୍ଦ ରହିଛି।

Share