କୁକୁର-ମାଙ୍କଡ ମଧ୍ୟରେ ଗ୍ୟାଙ୍ଗ୍‌ଓ୍ବାର, ଲୋକେ ଆତଙ୍କିତ…

ବିଡ଼, ୧୯।୧୨: ଦୁଇ ଅପରାଧି ଗୋଷ୍ଠୀ ମଧ୍ୟରେ ପ୍ରାୟତଃ ଗ୍ୟାଙ୍ଗ୍‌ଓ୍ବାର ହେବାର ଦେଖିବାକୁ ମିଳିଥାଏ। ମାତ୍ର ମାଙ୍କଡ ଏବଂ କୁକୁରମାନଙ୍କ ମଧ୍ୟରେ ଚାଲିଥିବା ଗ୍ୟାଙ୍ଗ୍‌ଓ୍ବାର ମହାରାଷ୍ଟ୍ରର ବିଡ ଜିଲାର ମଜଲଗାଓଁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି। ଲୋକମାନେ ଭୟଭୀତ ହୋଇ ଦୌଡ଼ି ପଳାଉଥିବାର ଫଟୋ ଏବଂ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ମାଙ୍କଡମାନଙ୍କର ପ୍ରତିଶୋଧ ଗତ ଏକ ମାସ ଧରି ଚାଲିଛି।

ଗାଁରେ ଏକ ମାଙ୍କଡ ଛୁଆକୁ କୁକୁର ମାରିଦେବା ପରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ମାଙ୍କଡ଼ ଦଳ ପ୍ରତିଶୋଧ ନେଇ ଇତିମଧ୍ୟରେ ପ୍ରାୟ ୨୫୦ କୁକୁରଙ୍କୁ ହତ୍ୟା କରିଛନ୍ତି। ମାଙ୍କଡ ଦଳ କୁକୁରକୁ ଦେଖି ଟାଣି ନିଅନ୍ତି ଏବଂ ମାରିବା ପରେ ଏହାକୁ ଗଛରୁ କିମ୍ବା ଘରର ଛାତରୁ ଫିଙ୍ଗି ଦେଉଛନ୍ତି।

ମାଙ୍କଡ଼ଙ୍କ ପ୍ରତିଶୋଧ ଏବେ କୁକୁରଙ୍କଠାରୁ ଆସି ମଣିଷ ପିଲାଙ୍କ ଉପରେ ପଡ଼ିଛି। ସେମାନେ ବର୍ତ୍ତମାନ ସ୍କୁଲ ପିଲାମାନଙ୍କୁ ମଧ୍ୟ ଟାର୍ଗେଟ କରୁଛନ୍ତି। ମାଙ୍କଡମାନଙ୍କ ଏଭଳି କାର୍ଯ୍ୟ ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ପ୍ରାୟ ପାଞ୍ଚ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାଁର ଲୋକମାନେ ମାଙ୍କଡଙ୍କ ଆତଙ୍କରେ ଏତେ ଭୟଭୀତ ହୋଇପଡିଛନ୍ତି। ଲୋକ ସ୍ଥାନୀୟ ବନ ବିଭାଗକୁ ଏନେଇ ଜଣାଇଛନ୍ତି। ଏବେ ରାସ୍ତାରେ ଯାଉଥିବା ଲୋକଙ୍କୁ ମାଙ୍କଡମାନେ ମଧ୍ୟ ଆକ୍ରମଣ କରୁଛନ୍ତି। ବନ ବିଭାଗ ପକ୍ଷରୁ କିଛି ମାଙ୍କଡକୁ ଧରାଯାଇ ପିଞ୍ଜରାରେ ବନ୍ଦ କରି ରଖାଯାଇଛି। ତେବେ ଲୋକେ ସ୍ଥାୟୀ ସମାଧାନ ଦାବି କରିଛନ୍ତି।

କିଛିଦିନ ତଳେ ମାଙ୍କଡ଼ ଜଣେ ଆଠ ବର୍ଷର ଶିଶୁକୁ ଟାଣି ନେଇ ଯାଇଥିଲେ। ଗ୍ରାମବାସୀ ସେମାନଙ୍କୁ ଭୟଭୀତ କରିବା ପାଇଁ ପଥର ଫିଙ୍ଗିଥିଲେ। ଶେଷରେ ଶିଶୁକୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା।

Share