ଲକ୍ଷ୍ନୌ, ୨।୧୨: ଉତ୍ତରପ୍ରଦେଶର ମିରୁଟର କମିଶନର ଛକଠାରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ କେତେଜଣ ପୋଲିସ କର୍ମଚାରୀ ଏକ କୁକୁରର ମୃତ୍ୟୁ ପରେ ତାକୁ ଅନ୍ତିମ ଯାତ୍ରାରେ ନେଇ ପାର୍କରେ ପୋତି ଦେଉଛନ୍ତି। ଏହି ଅବସରରେ ପୋଲିସ କର୍ମଚାରୀଙ୍କ ସହ ପିଏସି କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
ଏହି କୁକୁରକୁ କରୋନା ଆରମ୍ଭରୁ ମାଲିକ ରାକେଶ ତାକୁ କମିଶନ ଛକରେ ଛାଡି ଚାଲିଯାଇଥିଲେ। ପରେ ପୋଲିସ କର୍ମଚାରୀମାନେ ତା’ର ଯତ୍ନ ନେଇଥିଲେ ଏବଂ ତାର ନାମ ରାକେଶ ରଖିଥିଲେ। ପୋଲିସ କର୍ମଚାରୀଙ୍କ ସହ ରାକେଶ ବହୁତ ଖୁସିରେ ରହିବାକୁ ଲାଗିଲା। ତେବେ ବିଗତ କିଛି ଦିନ ହେବ ସେ ଅସୁସ୍ଥ ହୋଇପଡ଼ିଥିଲା। ପିଏସି ଯବାନମାନେ ଯେତେବେଳେ ଡ୍ୟୁଟିରେ ପହଞ୍ଚିଥିଲେ ରାକେଶ ଜୀବନମରଣ ସହ ସଂଘର୍ଷ କରୁଥିବା ଦେଖିବାକୁ ପାଇଥିଲେ। ରାକେଶକୁ ଶୀତରୁ ତାକୁ ରକ୍ଷା କରିବା ପାଇଁ ଦିନରାତି ସେମାନେ ନିଆଁ ଜଳାଉଥିଲେ। ତାକୁ ଔଷଧ ଦେବା ସହ ତାର ସେବା ମଧ୍ୟ କରୁଥିଲେ। ମାତ୍ର ତାକୁ ବଞ୍ଚାଇପାରିଲେ ନାହିଁ। ତାର ମୃତ୍ୟୁରେ ପୋଲିସ କର୍ମଚାରୀ ଏବଂ ପିଏସ୍ କର୍ମଚାରୀ ଦୁଃଖ ପ୍ରକାଶ କରିଥିଲେ। ପୋଲିସ କର୍ମଚାରୀଙ୍କ ଏହି କାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଶ୍ ପ୍ରଭାବିତ ହୋଇଥିଲେ। ତେଣୁ ସେ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଉକ୍ତ ପୋଲିସ କର୍ମଚାରୀ ଓ ପିଏସ୍ଙ୍କୁ ପ୍ରଶଂସା ମଧ୍ୟ କରିଥିଲେ।