Categories: ଫୁରସତ

ଭାବପ୍ରବଣତା ସୃଷ୍ଟି କରନ୍ତି ପୋଷା କୁକୁର

ନେଡଲାଣ୍ଡସ(ଅଷ୍ଟ୍ରେଲିଆ)‌: ପରିବର୍ତ୍ତିତ ଜୀବନଶୈଳୀରେ କେତେକ ଲୋକ ମାନସିକ ଚାପଗ୍ରସ୍ତ ହୋଇଥାନ୍ତି। କିଛି ଲୋକଙ୍କ ମଧ୍ୟରେ ଚିଡିଚିଡ଼ାପଣ ବଢ଼ିଥାଏ। ସାମାନ୍ୟ ସମସ୍ୟାରେ କେତେକ ଧୈର୍ଯ୍ୟହରା ପଡ଼ିଥାନ୍ତି। ତେବେ ଏସବୁର ସହଜ ସମାଧାନ ପୋଷା କୁକୁର ଦ୍ୱାରା ସମ୍ଭବ ବୋଲି ସମ୍ପ୍ରତି ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପୋଷା କୁକୁର ସହିତ କିଛି ସମୟ ବିତାଇବା ଦ୍ୱାରା ମନ ହାଲ୍‌କା ହୋଇଥାଏ। ମାନସିକ ଚାପ ମଧ୍ୟ ଦୂର ହୁଏ। ଏହା ସହିତ ମନରେ ଭାବପ୍ରବଣତା ବି ସୃଷ୍ଟି ହୋଇଥାଏ ବୋଲି ଗବେଷଣା ରିପୋର୍ଟରେ ଦର୍ଶାଯାଇଛି। ପୋଷା କୁକୁର ରହିଥିବା ଘରେ ପିଲାମାନେ ଅଧିକ ଭାବପ୍ରବଣ ହୋଇଥାନ୍ତି। ଏଭଳି ପିଲାମାନଙ୍କ ସାମାଜିକ ସମ୍ପର୍କ ମଧ୍ୟ ଶୀଘ୍ର ବୃଦ୍ଧି ପାଇଥାଏ। ଅନ୍ୟକୁ କ୍ଷତି ପହଞ୍ଚାଇବା କଥା ଏଭଳି ପିଲାମାନେ କେବେ ଚିନ୍ତା କରି ନ ଥାନ୍ତି। ଏହି ରିପୋର୍ଟ ପେଡିଆଟ୍ରିକ୍‌ ରିସର୍ଚ୍ଚ ଜର୍ନାଲରେ ପ୍ରକାଶ ପାଇଛି। ଓ୍ବେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ ଏବଂ ଟେଲେଥୋନ୍‌ କିଡସ୍‌ ଇନଷ୍ଟିଚ୍ୟୁଟର ଗବେଷକ ଏନେଇ ୧,୬୪୬ ଘର ବୁଲି ପୋଷା କୁକୁର ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ସହିତ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଉତ୍ତର ଆଧାରରେ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ଏହି ସମୟରେ ୨ରୁ ୫ ବର୍ଷ ବୟସ୍କ ପିଲାଙ୍କ ମାନସିକ ସ୍ଥିତି, ସେମାନଙ୍କର ସାମାଜିକ ସମ୍ପର୍କ ଆଦି ନେଇ ଅଧ୍ୟୟନ ହୋଇଥିଲା। ଘରେ ପୋଷା କୁକୁର ରହିଲେ ମାନସିକ ସ୍ଥିତିରେ ସନ୍ତୁଳନ ଆସିଥାଏ ବୋଲି ଆସୋସିଏଟ୍‌ ପ୍ରଫେସର ହାଲେ କ୍ରିଷ୍ଟିଆନ୍‌ କହିଛନ୍ତି। ୨୦୧୫ରୁ ୨୦୧୮ ମଧ୍ୟରେ ଏସବୁ ତଥ୍ୟ ସଂଗ୍ରହ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଗବେଷକ ବୁଲିଥିବା ଘର ମଧ୍ୟରୁ ୬୮୬ରେ ପୋଷା କୁକୁର ରହିଥିବା ହାଲେ କହିଛନ୍ତି। ଘରେ ପୋଷା କୁକୁର ଥିବା ପରିବାର ସଦସ୍ୟ କାହିଁକି ଅଧିକ ଭାବପ୍ରବଣ ହୋଇଥାନ୍ତି ଏବଂ ସେମାନଙ୍କର ସାମାଜିକ ସମ୍ପର୍କ କିପରି ସୁଦୃଢ଼ ରହିଥାଏ ସେନେଇ ଗବେଷଣା କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ଏହାପରେ ଲଗାତାର ୩ ବର୍ଷ ପର୍ଯ୍ୟନ୍ତ ତଥ୍ୟ ସଂଗ୍ରହ କରାଯାଇଥିଲା।

Share