ମଣିଷ ନିଜ ସଉକ ପୂରଣ କରିବା ଲାଗି ବେଳେବେଳେ ଟଙ୍କା ପାଣି ଭଳି ଖର୍ଚ୍ଚ କରିଦିଏ। ତେବେ ସେ ସଉକ ଅଜବ ହେଉ ପଛେ। ସେମିତି ଏକ ଅଜବ ସଉକ ଲାଗି ଜାପାନର ତୋକୋ ନାମକ ଜଣେ ବ୍ୟକ୍ତି ଚର୍ଚ୍ଚାରେ ଅଛନ୍ତି। ତୋକୋ ନିଜେ କୁକୁର ପରି ଦେଖାଯିବା ଲାଗି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ସେ କୁହନ୍ତି, ‘ପିଲାଦିନେ ମୋର ସବୁଠାରୁ ପ୍ରିୟ ପ୍ରାଣୀ ଥିଲା କୁକୁର। ଆଉ କୁକୁର ପରି ଜୀବନ ଜିଇଁବାକୁ ମୋର ବହୁତ ଇଛା ଥିଲା। ତା’ସହ କୁକୁର ପରି ଦେଖାଯିବାକୁ ବି ଚାହୁଁଥିଲି। ସେଇ ଇଛା ମୋର ଏବେ ପୂରଣ ହୋଇଛି।’ ତୋକୋ ନିଜ ରୂପ ବଦଳାଇବା ଲାଗି ସ୍ପେଶାଲ ଇଫେକ୍ଟ ଓ୍ବାର୍କଶପ୍ ଜିପେଟ୍ ସହ ସମ୍ପର୍କ କରିଥିଲେ। ଆଉ କୁକୁର ପରି କଷ୍ଟ୍ୟୁମ୍ ତିଆରି କରାଇଥିଲେ। କମ୍ପାନୀ ଉକ୍ତ କଷ୍ଟ୍ୟୁମ୍କୁ ୪୦ ଦିନରେ ତିଆରି କରିଥିଲା। ଏହାକୁ ତିଆରି କରାଇବା ଲାଗି ତୋକୋଙ୍କୁ ୧୧ ଲକ୍ଷ ୬୩ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା। ଏହି କଷ୍ଟ୍ୟୁମ ପିନ୍ଧିଲେ ତୋକୋ ପୂରାପୂରି ଏକ କୁକୁର ଭଳି ଦେଖାଯାଆନ୍ତି। ସିନ୍ଥେଟିକ ଫର୍ ବ୍ୟବହାର କରାଯାଇଥିବା ଏହି କଷ୍ଟ୍ୟୁମ୍କୁ ପିନ୍ଧିଲେ ତୋକୋଙ୍କୁ ସମସ୍ତେ ସତସତିକା କୁକୁର ବୋଲି ଭାବନ୍ତି। ତା’ସହ ତୋକୋଙ୍କର କୁକୁର ପରି ବ୍ୟବହାର, କାର୍ଯ୍ୟକଳାପ ତାଙ୍କ ଲୁକ୍କୁ ଜୀବନ୍ତ କରିଦିଏ।