କାବୁଲରୁ ଆଇଟିବିପି ଯବାନଙ୍କ ସହ ଭାରତ ଫେରିଲେ ୩ କୁକୁର

ଗାଜିଆବାଦ,୧୮।୮: ଆଫଗାନିସ୍ତାନର କାବୁଲରେ ଥିବା ଭାରତୀୟ ଦୂତାବାସର ସୁରକ୍ଷା ପାଇଁ ନିୟୋଜିତ ମାୟା, ରୁବି ଏବଂ ବବି ନାମକ ତିନିଟି ସ୍ନିଫର୍‌ କୁକୁର ମଙ୍ଗଳବାର ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ(ଆଇଟିବିପି)ର ୯୯ ଯବାନଙ୍କ ସହ ଫେରିଛନ୍ତି। ଏହି ତିନିଟି କୁକୁରଙ୍କୁ ଭାରତୀୟ ଦୂତାବାସର ସୁରକ୍ଷା ଦାୟିତ୍ୱରେ ୩ ବର୍ଷ ପାଇଁ ନିୟୋଜିତ କରାଯାଇଥିଲା।
କୁକୁରମାନଙ୍କୁ ଭାନୁ, ପଞ୍ଚକୁଲା ଆଇଟିବିପି କେନ୍ଦ୍ର ଏନ୍‌ଟିସିଡି (କୁକୁରମାନଙ୍କ ପାଇଁ ଜାତୀୟ ତାଲିମ କେନ୍ଦ୍ର)ରେ ତାଲିମ ଦିଆଯାଇଥିଲା। ତାଙ୍କୁ ୨୦୧୯ରେ କାବୁଲରେ ଥିବା ଭାରତୀୟ ଦୂତାବାସରେ ପୋଷ୍ଟ କରାଯାଇଥିଲା। ଆଇଟିବିପି ଅନୁଯାୟୀ, ସେମାନେ ଆତଙ୍କବାଦକୁ ହଟାଇବା ଏବଂ ଭାରତୀୟ ସମ୍ପତ୍ତିକୁ ସୁରକ୍ଷିତ ରଖିବା ପାଇଁ କାବୁଲରେ କାର୍ଯ୍ୟ କରିଥିଲେ।

କାବୁଲରେ ଭାରତୀୟ ରାଷ୍ଟ୍ରଦୂତ ତଥା ଦୂତାବାସ କର୍ମଚାରୀଙ୍କ ସମେତ ୧୨୦ ଜଣଙ୍କୁ ନେଇ ଏକ ଭାରତୀୟ ବାୟୁସେନା ବିମାନ ମଙ୍ଗଳବାର ଆଫଗାନିସ୍ତାନରୁ ଗୁଜୁରାଟର ଜାମନଗରରେ ପହଞ୍ଚିଛି। ସି -୧୯ ବିମାନ ସକାଳ ୧୧.୧୫ ରେ ଜାମନଗରର ବାୟୁସେନା ବେସରେ ଅବତରଣ କରିଥିଲା ଏବଂ ତା’ପରେ ଇନ୍ଧନ ଦେବା ପରେ ଅପରାହ୍ନ ୩ ଟାରେ ଦିଲ୍ଲୀ ନିକଟ ହିନ୍ଦନ ଏୟାରବେସ୍‌କୁ ଯାଇଗଲା।

ତେବେ ତାଲିବାନ କାବୁଲକୁ ଦଖଲ କରିବା ପରେ ସେଠାରେ ଥିବା ନିରାପତ୍ତା ଅବସ୍ଥାକୁ ଦୃଷ୍ଟିରେ ରଖି ଭାରତ ତା’ର ରାଷ୍ଟ୍ରଦୂତ ଏବଂ ଭାରତୀୟ ଦୂତାବାସର କର୍ମଚାରୀମାନଙ୍କୁ ସେଠାରୁ ଦୁଇଟି ସାମରିକ ବିମାନରେ ଫେରାଇ ଆଣିଥିଲା। ଏବେ କାବୁଲରୁ ଦୂତାବାସ କର୍ମଚାରୀଙ୍କ ପ୍ରତ୍ୟାବର୍ତ୍ତନ କାର୍ଯ୍ୟ ଶେଷ ହୋଇଛି। ଦେଶରେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଫଗାନିସ୍ତାନର ରାଜଧାନୀରୁ ସମସ୍ତ ଭାରତୀୟ ନାଗରିକଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯିବ ବୋଲି ଭାରତ କହିଛି।

Share