ରାସ୍ତାରେ ଥିବା ଖାଲଖମା ଅନେକ ସମୟରେ ବଡ଼ ବଡ଼ ବିପଦର କାରଣ ସାଜିଥାଏ। ତଥାପି ଅନେକ ସମୟରେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦିଅନ୍ତି ନାହିଁ। ଠିକ୍ ସେମିତି ବ୍ରିଟେନ୍ରେ ବି ଘଟିଥିଲା। ଆଉ ତାକୁ ସମାଧାନ କରିବା ତଥା ପ୍ରଶାସନର ଦୃଷ୍ଟି ରାସ୍ତାର ଖାଲଖମା ଆଡକୁ ଆଣିବା ପାଇଁ ଆଣ୍ଡି କନ୍ରୟ ନାମକ ଜଣେ ବ୍ୟକ୍ତି ଆପଣେଇଛନ୍ତି ଏକ ଅଭିନବ ପନ୍ଥା। ସେ ବିଭିନ୍ନ ପ୍ରକାରର କଣ୍ଢେଇକୁ ଆଣି ସେଇ ଖାଲଖମାରେ ସଜାଇ ରଖି ମଜାଦାର ଫଟୋସୁଟ କରୁଛନ୍ତି। ଆଉ ତାକୁ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ଏମିତି କରି ୬୬ ବର୍ଷୀୟ ଆଣ୍ଡି ଗାଡି ଚାଳକଙ୍କୁ ସେହି ଖାଲଖମା ପ୍ରତି ସଚେତନ କରିବା ସହ ପ୍ରଶାସନର ଦୃଷ୍ଟି ଆକର୍ଷଣ ବି କରୁଛନ୍ତି। ଏମିତିରେ ଅନେକ ରାସ୍ତାର ମରାମତି ବି ହୋଇପାରିଛି। ଆଣ୍ଡି ଏହି ଫଟୋସୁଟ୍ ପାଇଁ ଖେଳଣା ନିଜ ନାତି ନାତୁଣୀ ଓ ଅନ୍ୟ ପିଲାଙ୍କଠାରୁ ଯୋଗାଡ କରିଥାନ୍ତି। ପ୍ରତି ଖାଲଖମାରେ ସେ କଣ୍ଢେଇକୁ ବେଶ୍ ସୁନ୍ଦରଭାବେ ସଜାଇ ରଖିବା ସହ ତାକୁ ନେଇ ଏକ କାହାଣୀ ଗଢି ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି। ଲୋକେ ତାଙ୍କ ପୋଷ୍ଟକୁ ପଢି ବେଶ୍ ଖୁସି ହୁଅନ୍ତି।