Categories: ଜାତୀୟ

ଡଲ୍‌ଫିନ୍‌କୁ ପିଟି ମାରିଦେଲେ

ଲକ୍ଷ୍ନୌ, ୯ା୧: ପ୍ରକୃତିକୁ ବିପଦ ମୁହଁକୁ ଠେଲିଚାଲିଥିବା ମଣିଷ ପୁଣି ବର୍ବରତାର ସୀମା ଟପିଛି। ଜାତୀୟ ଜଳଜୀବ ମାନ୍ୟତା ପାଇଥିବା ଏକ ଗାଞ୍ଜେଟିକ୍‌ ରିଭର ଡଲଫିନକୁ ପିଟିପିଟି ହତ୍ୟା କରାଯାଇଛି। ଏଥି ସହ ଏହି ଦୃଶ୍ୟର ଭିଡିଓ କରିଛନ୍ତି ଅଭିଯୁକ୍ତ। ଉତ୍ତରପ୍ରଦେଶ ରାଜ୍ୟ ପ୍ରତାପଗଡ ଜିଲାରେ ଏଭଳି ଅମାନବୀୟ ଘଟଣା ସାମ୍‌ନାକୁ ଆସିବା ପରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପାଟଣାଗଡ ପୋଲିସ କହିଛି। ପ୍ରାଣୀ ପ୍ରେମୀଙ୍କ ସମେତ ସମସ୍ତ ମହଲରେ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଘଟଣାଟି ଡିସେମ୍ବର ୩୧ରେ ଘଟିଥିବା ଜଣାପଡିଛି।
ଭିଡିଓରେ ଦେଖିବାକୁ ମିଳିଛି, ଏକ ଗାଁ ଦେଇ ଯାଇଥିବା କେନାଲର ଗଭୀର ଜଳରେ ଜାଲ ପକାଇ କେତେଜଣ ପ୍ରଥମେ ଡଲ୍‌ଫିନକୁ ଧରିଥିଲେ। ପରେ ସେମାନଙ୍କ ମଧ୍ୟରୁ କେତେଜଣ କୁରାଢ଼ି ଓ ଠେଙ୍ଗା ଧରି ଡଲ୍‌ଫିନ୍‌କୁ ଆକ୍ରମଣ କରି ଚାଲିଥିଲେ। ଏପରିକି ଜଣେ ଏକ ଧାରୁଆ ଅସ୍ତ୍ର ଧରି ଏହାର ଶରୀରରେ ଉପରେ ଘଷି ଚାଲିଥିଲେ। କେନାଲରେ ରକ୍ତ ଜୁଡୁବୁଡ଼ୁ ହୋଇ ପଡିଥିବାବେଳେ ଏହାର ମୁହଁକୁ ଧରି ଲୋକେ ଘୋଷାଡି ଆଣିଥିଲେ। ନିକଟରେ କେହି ଡଲ୍‌ଫିନକୁ ଅକାରଣରେ କାହିଁକି ମାରୁଛ ବୋଲି ପାଟି କରୁଥିଲେ ହେଁ ଅଭିଯୁକ୍ତମାନେ କଥା ନ ଶୁଣି ଆକ୍ରମଣ କରିବାରେ ଲାଗିଥିଲେ।

ଏହି ସମସ୍ତ ଘଟଣାର ଭିଡିଓ ସୋସିଆଲ ମିଡିଆକୁ ଆସିବା ପରେ ଚାରି ଆଡୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୋଲିସ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଚିହ୍ନଟ କରି ଗିରଫ କରିଛି। ବନ୍ୟଜନ୍ତୁ ସୁରକ୍ଷା ଆଇନ, ୧୯୭୨ର ଧାରା ୯/୫୧ ଅନୁଯାୟୀ ମାମଲା ରୁଜୁ ହୋଇଛି।
ଜାନୁୟାରୀ ୨ରେ ଆଇଏଫ୍‌ଏସ୍‌ ଅଧିକାରୀ ରମେଶ ପାଣ୍ଡେ ଭିଡିଓର ଲିଙ୍କ ଏବଂ ଫଟୋ ଟୁଇଟରରେ ଶେୟାର କରି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ସ୍ଥାନୀୟ ଲୋକେ ଡଲଫିନ୍‌କୁ ଦେଖିବା ପରେ ତାହା ସେମାନଙ୍କ ପାଇଁ ବିପଦପୂର୍ଣ୍ଣ ବୋଲି ଆଶଙ୍କା କରିଥିଲେ। ସଚେତନତା ଅଭାବରୁ ଏଭଳି ଘଟିଥିବା ପାଣ୍ଡେ କହିଛନ୍ତି। ଗତ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ତନ୍ୟପାୟୀ ଜଳଚର ପ୍ରାଣୀ ସଂରକ୍ଷଣ ପାଇଁ ପ୍ରୋଜେକ୍ଟ ଡଲଫିନ୍‌ ଘୋଷଣା କରିଥିଲେ।

Share