ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଅବକାରୀ ଉପଅଧିକ୍ଷକ ସ୍କୃତିକାନ୍ତ ରାଉତଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଅବକାରୀ ଗୋଇନ୍ଦା ଓ ଏନଫୋର୍ସମେଣ୍ଟ ବ୍ୟୁରୋ ଏଏସଆଇ କେ.ଚନ୍ଦ୍ର ଶେଖର ରେଡ୍ଡୀ ସଦଳବଳେ ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ସାଢେ ୯ଟାରେ ଦିଗପହଣ୍ଡି ବ୍ଲକ କରପଡ଼ା ପଞ୍ଚାୟତ ଦେଖାଳି ଗ୍ରାମ,ପଦ୍ମନାଭପୁର ଗ୍ରାମ ଇଲାକାରେ ପାଟ୍ରୋଲିଂ କରୁଥିଲେ। ଦେଖାଳି ଗ୍ରାମର ଲିଟୁ ପ୍ରଧାନ ଏକ ଜରି ବ୍ୟାଗ ଧରି ସନ୍ଦେହଜନକ ଭାବେ ରାସ୍ତାରେ ଯାଉଥିବାବେଳେ ଅବକାରୀ କର୍ମଚାରୀ ବୃନ୍ଦ ତାଙ୍କୁ ଅଟକାଇ ବ୍ୟାଗକୁ ଖାନ ତଲାସ କରିବାରୁ ସେଥିରେ ଥିବା ଏକ ବଡ଼ ପ୍ଲାଷ୍ଟିକ ପଲିଥିନରେ ୧୪ ଲିଟର ଦେଶୀ ମଦ ଥିଲା। ତାଙ୍କ ନିକଟରୁ ଦେଶୀମଦ ଜବତ କରାଯାଇ ଘଟଣାସ୍ଥଳରେ ପରୀକ୍ଷା କରାଯାଇଥିଲା। ବିନା ଲାଇସେନ୍ସରେ ସେ ବେଆଇନ ଭାବେ ମଦ ଚାଲାଣ କରୁଥିବାରୁ ତାଙ୍କୁ ଗିରଫ କରାଯାଇ ଅବକାରୀ ମାମଲା ନଂ.୬୧୬/୨୪-୨୫ ଅନୁଯାୟୀ ଦିଗପହଣ୍ଡି କୋର୍ଟକୁ ଚାଲାଣ କରାଯାଇଛି।
ସେହିପରି ପଦ୍ମନାଭପୁର ଗ୍ରାମର ରାଜନ ସେଠୀଙ୍କଠାରୁ ବିଭିନ୍ନ କମ୍ପାନୀ ପ୍ରସ୍ତୁତ ୨୭ଟି ବିଦେଶୀ ମଦ ବୋତଲ ଜବତ କରାଯାଇଥିଲା। ମାମଲା ନଂ.୬୧୫/୨୪-୨୫ ଅନୁଯାୟୀ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଅବକାରୀ ଚଢ଼ାଉ ଧରପଗଡରେ ଅବକାରୀ କର୍ମଚାରୀ ପରେଶ ବେହେରା,ବଳରାମ ସ୍ବାଇଁ,ଭଗବାନ ହେମ୍ରମ,ସୀତାରାଣୀ ମୁର୍ମୁ ପ୍ରମୁଖ ସାମିଲ ଥିଲେ।