Categories: ବାଣିଜ୍ୟ

ଘରୋଇ ପୁଞ୍ଜିଗତ ବ୍ୟୟ ୨.୪୫ ଲକ୍ଷ କୋଟି ବୃଦ୍ଧି ଆଶଙ୍କା

ଭୁବନେଶ୍ୱର,୨୧।୮ (ଅନୁରାଧା ମହାରଣା): ଆର୍ଥିକ ବର୍ଷ ୨୦୨୪-୨୫ରେ ବେସରକାରୀ ଘରୋଇ କମ୍ପାନୀଗୁଡ଼ିକ ଦ୍ୱାରା ପୁଞ୍ଜିଗତ ବ୍ୟୟ ଖର୍ଚ୍ଚ ୨.୪୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇପାରେ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) କର୍ମଚାରୀଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଏପରି ତଥ୍ୟ ପ୍ରକାଶ ପାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ ଦ୍ୱାରା ଅନୁମୋଦିତ ପ୍ରକଳ୍ପଗୁଡ଼ିକ ରେକର୍ଡ ସର୍ବାଧିକ ୩.୯୦ ଲକ୍ଷ କୋଟିରେ ପହଞ୍ଚତ୍ଥିଲା। ଏଥିମଧ୍ୟରୁ ୨୦୨୪ ଆର୍ଥିକ ବର୍ଷରେ ୫୪ ପ୍ରତିଶତ ପୁଞ୍ଜି ବିନିଯୋଗ କରାଯିବାକୁ ଥିବାବେଳେ ୨୦୨୫ ଆର୍ଥିକ ବର୍ଷରେ ୩୦ ପ୍ରତିଶତ ପୁଞ୍ଜି ବିନିଯୋଗ ଏବଂ ବାକି ବର୍ଷଗୁଡ଼ିକରେ ବାକି ରଖିବାକୁ ପ୍ରସ୍ତାବ ଦିଆଯାଇଛି। ଆର୍‌ବିଆଇ ଅଧ୍ୟୟନରେ କୁହାଯାଇଛି, ଯଦି ତିନୋଟି ମାଧ୍ୟମରେ ଆର୍ଥିକ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକର ସ୍ଥିତିକୁ ଦେଖାଯାଏ, ତେବେ ୨୦୨୪-୨୫ ଆର୍ଥିକ ବର୍ଷରେ ପୁଞ୍ଜି ବ୍ୟୟ ବହୁଳ ଭାବରେ ୨.୪୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ହୋଇପାରେ ଯାହାକି ଗତ ବର୍ଷ ୧.୫୯ ଲକ୍ଷ କୋଟି ଟଙ୍କା ଥିଲା।
ଅନ୍ୟାନ୍ୟ ଆର୍ଥିକ ଚ୍ୟାନେଲଗୁଡ଼ିକ ବାହ୍ୟ ବାଣିଜି୍ୟକ ଋଣ (ଇସିବି) ମାଧ୍ୟମରେ ଋଣ ଏବଂ ପ୍ରାରମ୍ଭିକ ସର୍ବସାଧାରଣ ଅଫର(ଆଇପିଓ) ମାଧ୍ୟମରେ ପାଣ୍ଠି ସଂଗ୍ରହକୁ ଅନ୍ତର୍ଭୁକ୍ତ କରେ। ରିଜର୍ଭ ବ୍ୟାଙ୍କ ଅନୁଯାୟୀ ଭିତ୍ତିଭୂମି କ୍ଷେତ୍ର ପୁଞ୍ଜି ବ୍ୟୟରେ ସର୍ବାଧିକ ଟଙ୍କା ଆକର୍ଷିତ କରୁଛି। ଏଥିରେ ରାସ୍ତା, ବ୍ରିଜ୍‌ ଏବଂ ବିଦ୍ୟୁତ୍‌ କ୍ଷେତ୍ର ଆଗରେ ରହିଛି। ରିଜର୍ଭ ବ୍ୟାଙ୍କ ଅଧ୍ୟୟନ ଅନୁସାରେ ରିଜର୍ଭ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଏଜେନ୍ସି ଦ୍ୱାରା କରାଯାଇଥିବା ସର୍ଭେରୁ କମ୍ପାନୀ ଏବଂ ବ୍ୟାଙ୍କଗୁଡ଼ିକର ଉନ୍ନତ ବାଲାନ୍ସ ସିଟ୍‌, କମ୍ପାନୀର ଲାଭରେ ଉନ୍ନତି, ଋଣ ପାଇଁ ସ୍ଥାୟୀ ଚାହିଦା, ଦକ୍ଷତା ବ୍ୟବହାର ବୃଦ୍ଧି ଏବଂ ଉତ୍ତମ ବ୍ୟବସାୟ ଆଶା କରାଯାଉଛି। ଭବିଷ୍ୟତରେ ନିବେଶ କରିବାକୁ ଘରୋଇ କମ୍ପାନୀଗୁଡ଼ିକ ପାଇଁ ଏହା ଏକ ଅନୁକୂଳ ପରିବେଶ ଯୋଗାଉଛି।

Share