ଚେହେରାର ବିଭିନ୍ନ ସ୍ଥାନରେ ଥିବା ଅନାବଶ୍ୟକ ଲୋମକୁ ସଫା କରିବା ପାଇଁ ସମସ୍ତେ ସ୍କ୍ରବ ବ୍ୟବହାର କରିଥା’ନ୍ତି। ତେବେ ଆପଣ ଚାହିଁଲେ ଘରୋଇ ଉପାୟରେ ବିଭିନ୍ନ ପ୍ରକାରର ସ୍କ୍ରବ ତିଆରି କରିପାରିବେ….
କଦଳୀ ଓଟ୍ସ ସ୍କ୍ରବ
ଗୋଟିଏ ପାଚିଲା କଦଳୀରେ ଦୁଇ ବଡ଼ ଚାମଚ ଓଟ୍ସ ମିଶାଇ ତାକୁ ଭଲଭାବେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ ୨୦ ମିନିଟ୍ ଛାଡ଼ିଦିଅନ୍ତୁ। ଶୁଖିଗଲା ପରେ ମୁହଁକୁ ପାଣିରେ ଧୋଇ ଦିଅନ୍ତୁ।
ଛୋଲେ ଅଟାରେ ସ୍କ୍ରବ:
୧ ଚାମଚ ହଳଦୀ ଗୁଣ୍ଡ, ୧ ଚାମଚ କ୍ରିମ୍, ଅଧାକପ୍ କ୍ଷୀର ସହିତ ଅଧା କପ୍ ଛୋଲେରୁ ପ୍ରସ୍ତୁତ ଅଟାମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଅନାବଶ୍ୟକ ଲୋମ ଥିବା ସ୍ଥାନରେ ଏହି ପେଷ୍ଟକୁ ଲଗାଇ ୩୦ ମିନିଟ୍ ଛାଡ଼ିଦିଅନ୍ତୁ। ଶୁଖିଗଲା ପରେ ତ୍ୱଚାର ବିପରୀତ ଦିଗରେ ଘଷି ଘଷି ଛଡାନ୍ତୁ। ଶେଷରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ।
ଅଣ୍ଡା ଓ କର୍ନଫ୍ଲୋର ମାସ୍କ
୧ଟି ଅଣ୍ଡାରେ ୧ ଚାମଚ ଚିନି ଓ ଅଧା ଚାମଚ କର୍ନଫ୍ଲୋର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ଶୁଖିବା ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ। ଏହାପରେ ହାତରେ ଘଷି ଧୀରେ ଧୀରେ ଛଡ଼ାନ୍ତୁ। ଶେଷରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ସପ୍ତାହକୁ ଏପରି ଦୁଇ କିମ୍ବା ତିନିଥର କରନ୍ତୁ।
ଅମୃତଭଣ୍ଡା ଓ ହଳଦୀ
ଅଳ୍ପ ପାଚିଲା ଅମୃତଭଣ୍ଡା ସହିତ ଅଧା ଚାମଚ ହଳଦୀ ଗୁଣ୍ଡ ଓ ୩ ବଡ଼ ଚାମଚ ଆଲୋବେରା ଜେଲ୍କୁ ଭଲଭାବେ ମିଶାଇ ପେଷ୍ଟ ତିଆରି କରନ୍ତୁ। ଏହାକୁ ଲଗାଇ ୨୦ ମିନିଟ୍ ପର୍ଯ୍ୟନ୍ତ ଶୁଖିବା ପାଇଁ ଛାଡ଼ିଦିଅନ୍ତୁ। ଶୁଖିଗଲା ପରେ ହାତରେ ଘଷି ଉଷୁମ ପାଣିରେ ଧୋଇ ଦିଅନ୍ତୁ।