ଘରୋଇ ସ୍କ୍ରବ୍‌

ତ୍ୱଚାକୁ ବ୍ରଣ କିମ୍ବା ଅନ୍ୟାନ୍ୟ ସମସ୍ୟାଠୁ ଦୂରେଇ ରଖିବା ଲାଗି ମଝିରେ ମଝିରେ ଏକ୍ସଫୋଲିଏଟ୍‌ କରିବା ଦରକାର; ଯାହା କି ତ୍ୱଚାକୁ ଧୂଳି, ପ୍ରଦୂଷଣରୁ ରକ୍ଷା କରିଥାଏ। ତେବେ ଏଥିପାଇଁ ଆବଶ୍ୟକ ହୋଇଥାଏ ସ୍କ୍ରବ୍‌। ଯଦିଓ ମାର୍କେଟ୍‌ରେ ବିଭିନ୍ନ କମ୍ପାନୀର ସ୍କ୍ରବ୍‌ ଉପଲବ୍ଧ, ହେଲେ ଆପଣ ଚାହିଁଲେ ଘରେ ମଧ୍ୟ ଏହାକୁ ପ୍ରସ୍ତୁତ କରିପାରିବେ…

କଫି ସ୍କ୍ରବ୍‌: ତ୍ୱଚାକୁ ଏକ୍ସଫୋଲିଏଟ୍‌ କରିବା ସହ ଏହାର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ କଫି ଖୁବ୍‌ ଉପକାରୀ। ଏଥିପାଇଁ ଗ୍ରାଉଣ୍ଡ କଫି ଏକ ଚାମଚ ନେଇ ସେଥିରେ ଅଳ୍ପ ନଡିଆ ରସ ମିଶାଇ ତ୍ୱଚାରେ ଲଗାଇ ଧୀରେ ଧୀରେ ଘଷନ୍ତୁ। କିଛି ସମୟ ରଖିବା ପରେ ଥଣ୍ଡା ପାଣିରେ ମୁହଁ ଧୋଇଦିଅନ୍ତୁ। ଏହା ତ୍ୱଚାରୁ ସମସ୍ତ ଅପରିଷ୍କାର ପଦାର୍ଥ ବାହାର କରି ବ୍ଲାକ୍‌ ହେଡ୍‌ସ, ବ୍ରଣ ଆଦିଠୁ ଦୂରେଇ ରଖିଥାଏ।
ଲେମ୍ବୁ, ମହୁ, ଚିନି ସ୍କ୍ରବ୍‌: ତ୍ୱଚାରୁ ଡେଡ୍‌ ସେଲ୍‌ ଦୂର କରିବା ଲାଗି ଲେମ୍ବୁ ସ୍କ୍ରବ୍‌ ସର୍ବୋତ୍ତମ। ଏହାକୁ ପ୍ରସ୍ତୁତ କରିବା ପାଇଁ ଏକ ପାତ୍ରରେ ଗୋଟିଏ ଲେମ୍ବୁର ରସ, ଏକ ଚାମଚ ଚିନି, ଅଧା ଚାମଚ ଅଲିଭ୍‌ ଅଏଲ୍‌ ଏବଂ ମହୁ ନେଇ ମିଶାଇ ଦିଅନ୍ତୁ। ଏହାକୁ ମୁହଁ, ବେକ ଆଦିରେ ଲଗାଇ ଧୀରେ ଧୀରେ ଗୋଲ ଗୋଲ ଆକାରରେ ଘଷିବା ପରେ କିଛି ସମୟ ରଖି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ସପ୍ତାହରେ ଥରେ ଏପରି କରିବା ଦ୍ୱାରା ତ୍ୱଚା ପରିଷ୍କାର ରହିବା ସହ ଗ୍ଲୋ ମଧ୍ୟ ବଢିଥାଏ।
ବେକିଂ ସୋଡା ସ୍କ୍ରବ୍‌: ତ୍ୱଚାରେ ଜମିଥିବା ଡେଡ୍‌ ସେଲ୍‌, ଅପରିଷ୍କାର ପଦାର୍ଥ ଏବଂ ତେଲ ହିଁ ବ୍ରଣ, ଦାଗ, ବ୍ଳାକ୍‌ ହେଡ୍ସ ଭଳି ବିଭିନ୍ନ ସମସ୍ୟାର ମୁଖ୍ୟ କାରଣ, ଯାହାକୁ ଦୂର କରିବାରେ ବେକିଂ ସୋଡା ବେଶ୍‌ ଲଭଦାୟକ। ବେକିଂ ସୋଡା ଏକ ଚାମଚ ନେଇ ସେଥିରେ ଏକ ଚାମଚ ପାଣି ମିଶାନ୍ତୁ। ଏହି ସ୍କ୍ରବ୍‌କୁ ମୁହଁରେ ଲଗାଇ ଧୀରେ ଧୀରେ ଘଷିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହା ନା କେବଳ ତ୍ୱଚାରେ ଜମି ରହିଥିବା ମଇଳା ବାହାର କରି ପୋର୍ସ ଖୋଲିବ ବରଂ ତ୍ୱଚାକୁ ବେଦାଗ ଏବଂ ଗୋରା କରିବାରେ ବି ସାହାଯ୍ୟ କରିବ । ଏହି ସ୍କ୍ରବ୍‌ ଅଏଲି ସ୍କିନ୍‌ ପାଇଁ ଖୁବ୍‌ ଉପକାରୀ। ତେବେ ମନେରଖନ୍ତୁ ପ୍ରତିଦିନ ଏହି ସ୍କ୍ରବ୍‌ ବ୍ୟବହାର କରିବା ଦ୍ୱାରା ତ୍ୱଚାରେ ଥିବା ଲୋମ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ। ତେଣୁ ସପ୍ତାହରେ ଥରେ ବ୍ୟବହାର କରିବା ଭଲ। ଆପଣ ପାଣି ବଦଳରେ କମଳା ରସ, ରୋଲାପ ଜଳ ଆଦି ମଧ୍ୟ ବ୍ୟବହାର କରିପାରିବେ।
ଓଟମିଲ୍‌ ସ୍କ୍ରବ୍‌: ତେଲିଆ ତ୍ୱଚାରେ ବ୍ରଣ ସମସ୍ୟା ବେଶି ଦେଖାଦିଏ। ତେଣୁ ତ୍ୱଚାରେ ଜମି ରହିଥିବା ଅଧିକ ତେଲ ଦୂର କରିବା ଲାଗି ଓଟ୍‌ମିଲ୍‌ ସ୍କ୍ରବ୍‌ ଭଲ କାମ କରିଥାଏ। ଏହାକୁ ପ୍ରସ୍ତୁତ କରିବା ଲାଗି ଏକ ପାତ୍ରରେ ଦୁଇଚାମଚ ଓଟମିଲ୍‌, ଅଧା ଚାମଚ ଅଲିଭ୍‌ ଅଏଲ୍‌ ଏବଂ ଆବଶ୍ୟକ ମାତ୍ରାରେ କ୍ଷୀର ନେଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏହି ମିଶ୍ରଣକୁ ମୁହଁରେ ଲଗାଇ ହାଲୁକା ଭାବେ ରଗଡନ୍ତୁ। ୩-୪ ମିନିଟ୍‌ ଛାଡିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହା ତ୍ୱଚାକୁ ଅଏଲ୍‌ ଫ୍ରି, ମୁଲାୟମ ଏବଂ ଗୋରା କରିବାରେ ସାହାଯ୍ୟ କରେ।