Categories: ଖେଳ

ଅବସର ଘୋଷଣା କଲେ ଘରୋଇ କ୍ରିକେଟ୍‌ର ସଙ୍କଟମୋଚକ

ନୂଆଦିଲ୍ଲୀ,୨୯।୭(ପି.ଟି.): ଅଭିଜ୍ଞ ଘରୋଇ କ୍ରିକେଟର ରଜତ ଭାଟିଆ ବୁଧବାର କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଏ ନେଇ ତାଙ୍କର କୌଣସି ଅବସୋସ ନାହିଁ ବୋଲି ସେ କହିଛନ୍ତି। ୨୦୦୩-୦୪ରେ ସେ ତାମିଲନାଡୁ ତରଫରୁ କ୍ୟାରିୟର ଆରମ୍ଭ କରିଥିଲେ। ତେବେ ଦିଲ୍ଲୀ ପାଇଁ କ୍ୟାରିୟରର ଅଧିକାଂଶ କ୍ରିକେଟ ଖେଳିଥିଲେ। ତାଙ୍କ ଗାଇଡ୍‌ରେ ନୂଆ ଉତ୍ତରାଖଣ୍ଡ ଦଳ ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା।
ଦିଲ୍ଲୀ ଦଳର ସଙ୍କଟମୋଚକ ଭାବେ ଜଣାଶୁଣା ଥିବା ଭାଟିଆ ୧୧୨ଟି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳି ୪୯.୧୦ ରନ ହାରରେ ୬୪୮୨ ରନ ସଂଗ୍ରହ କରିଥିଲେ। ସେ ମଧ୍ୟ ୨୭.୯୭ ରନ ହାରରେ ୧୩୭ଟି ଉଇକେଟ ହାସଲ କରିଥିଲେ। ସେ ମଧ୍ୟ ୧୧୯ଟି ଲିଷ୍ଟ ଏ’ ଗେମ୍‌ ଓ ୧୪୬ ଟି୨୦ ମ୍ୟାଚ୍‌ ଖେଳିଥିଲେ। ଦିଲ୍ଲୀ ଜନ୍ମିତ ଏହି କ୍ରିକେଟର ବିଦେଶୀ ଲିଗ୍‌ ଖେଳିବାକୁ ଯୋଜନା କରୁଥିବା କହିଛନ୍ତି।
୨୦୧୪ରେ ରଜତ ଭାରତ ପାଇଁ ଖେଳିବାର ସମ୍ଭାବନା ସୃଷ୍ଟି ହୋଇଥିଲା। ସେତେବେଳେ ଟି୨୦ ବିଶ୍ୱକପ୍‌ରେ ଭାରତୀୟ ସମ୍ଭାବ୍ୟ ଦଳରେ ସ୍ଥାନ ପାଇଥିଲେ। କିନ୍ତୁ ଭାରତ ପାଇଁ ଖେଳିବାର ସୁଯୋଗ ପାଇ ନ ଥିଲେ ମଧ୍ୟ ମୋର କୌଣସି ଅବସୋସ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ୨୦୦୭-୦୮ରେ ଦିଲ୍ଲୀ ପାଇଁ ରଣଜୀ ଟ୍ରଫି ଜିତିବା ଓ ୨୦୧୨ରେ କୋଲକାତା ନାଇଟ ରାଇଡର୍ସ ପାଇଁ ଆଇପିଏଲ୍‌ ଜିତିବା ତାଙ୍କ କ୍ୟାରିୟରର ମୁଖ୍ୟ ଘଟଣା ଥିଲା। ଆଇପିଏଲ୍‌ରେ ସଚିନ ତେନ୍ଦୁଲକରଙ୍କୁ ସେ ୩ଥର ଆଉଟ କରିଥିଲେ। ଭାଟିଆ ହାଓ୍ବାଇର ଏକ ଇନ୍‌ଷ୍ଟିଚ୍ୟୁଟ୍‌ରେ ବାଇଓ- ମୋକନିକ୍ସରେ ଏକ କୋର୍ସ କରିଥିଲେ। ଏବେ ଯୁବ ଖେଳାଳିଙ୍କୁ ସାହାଯ୍ୟ କରିବାକୁ ପ୍ରୟାସ କରିବି ବୋଲି ସେ କହିଛନ୍ତି।

Share