ନୂଆଦିଲ୍ଲୀ,୨୯।୫: ମେହୁଲ ଚୋକ୍ସି ମାମଲାରେ ଶୁକ୍ରବାର ଏକ ନୂଆ ମୋଡ ଦେଖିବାକୁ ମିଳିଛି। ଡୋମିନିକା କୋର୍ଟ ଚୋକ୍ସିଙ୍କ ସ୍ଥାନାନ୍ତରକୁ ରୋକି ଦେଇଥିବା ଜଣାପଡିଛି। ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ଯାଏ ଚୋକସିଙ୍କୁ ଡୋମିନିକାରେ ହିଁ ରହିବାକୁ ପଡ଼ିବ। ତାଙ୍କ ଓକିଲ ଡୋମିନିକା କୋର୍ଟର ଦ୍ୱାରସ୍ଥ ହେବା ପରେ କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଚୋକସିଙ୍କୁ ଭେଟିବାକୁ ସୁବିଧା ଦିଆଯାଇ ନଥିବା ବେଳେ ତାଙ୍କ ସାମ୍ବିଧାନିକ ଅଧିକାରକୁ କ୍ଷୁଣ୍ଣ କରାଯାଇଥିବା ଓକିଲ ବିଜୟ ଅଗ୍ରଓ୍ବାଲ କହିଛନ୍ତି। ଚୋକସି ଯେଉଁଭଳି ଭାବେ ଆଣ୍ଟିଗୁଆରୁ ନିଖୋଜ ହେଲେ ଏବଂ ଡୋମିନିକାରେ ତାଙ୍କୁ ଅଟକ ରଖାଗଲା ସେ ନେଇ ଓକିଲ ସନ୍ଦେହ ପ୍ରକଟ କରିଛନ୍ତି। ଡୋମିନିକାରେ ଚୋକ୍ସିଙ୍କ ଲାଗି ମାମଲା ଲଢୁଥିବା ଓକିଲ ଓ୍ବେନ ମାର୍ସ ଏକ ସାକ୍ଷାତକାରରେ କହିଛନ୍ତି, ତାଙ୍କ କ୍ଲାଏଣ୍ଟଙ୍କୁ ଆଣ୍ଟିଗୁଆ ଜଲି ହାର୍ବରରୁ ଭାରତୀୟ ଏବଂ ଆଣ୍ଟିଗୁଆ ବାସିନ୍ଦାଙ୍କ ଭଳି ଦେଖାଯାଉଥିବା କିଛି ବ୍ୟକ୍ତିବିଶେଷ ଏକ ଜାହାଜରେ ନେଇଯାଇଥିଲେ। ଶେଷ ଥର ପାଇଁ ତାଙ୍କୁ ରବିବାର ଆଣ୍ଟିଗୁଆରେ ତାଙ୍କ କାରରେ ବୁଲୁଥିବାର ଦେଖାଯାଇଥିଲା। ତାଙ୍କୁ ଯଦି ସ୍ଥାନାନ୍ତର କରାଯାଏ ତେବେ ଆଣ୍ଟିଗୁଆକୁ ହିଁ ସେ ଆସିବେ ବୋଲି ସେଠାକାର ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।