‘ଟ୍ରୁଥ୍ ସୋସିଆଲ’ ନାଁରେ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଲଞ୍ଚ କରିବେ ଟ୍ରମ୍ପ

ୱାଶିଂଟନ,୨୧ ।୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ଲଞ୍ଚ କରିବା କଥା ଗୁରୁବାର ଘୋଷଣା କରିଛନ୍ତି । ଏହାର ନାଁ ରହିବ ‘ଟ୍ରୁଥ ସୋସିଆଲ’ । କୁହାଯାଉଛି କି ଏହା ଟୁଇଟର ଭଳିହେବ, ଏଥିରେ ୟୁଜର୍ସ ନିଜର ବିଚାର, ଫଟୋ, ଭିଡିଓ ଆଦି ଶେୟାର କରିପାରିବେ । ଟ୍ରମ୍ପ ତାଙ୍କ ବୟାନରେ ଟୁଇଟରକୁ ଟାର୍ଗେଟ କରି କହିଛନ୍ତି, ଟ୍ରମ୍ପ ମିଡିଆ ଆଣ୍ଡ ଟେକ୍ନୋଲୋଜି ଗ୍ରୁପ ଓ ଏହାର ‘ଟ୍ରୁଥ୍ ସୋସିଆଲ’ ଆପ ଲଞ୍ଚ କରିବାର ଲକ୍ଷ୍ୟ ହେଉଛି ବଡ ବଡ ଟେକ୍ କମ୍ପାନୀଙ୍କ ଲାଗି ଏକ ପ୍ରତିଦ୍ୱନ୍ଦ୍ୱି ଠିଆ କରାଇବା । ଯେଉଁମାନେ ତାଙ୍କୁ ବ୍ୟାନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଆମେ ଏବେ ଏମିତି ଏକ ବିଶ୍ୱରେ ବସବାସ କରୁଛେ ଯେଉଁଠି ତାଲିବାନ ବହୁ ସଂଖ୍ୟାରେ ଟୁଇଟର ବ୍ୟବହାର କରୁଥିବା ବେଳେ ଆମେରିକାର ପ୍ରିୟ ରାଷ୍ଟ୍ରପତିଙ୍କୁ ବ୍ୟାନ କରାଯାଇଛି । ସୂଚନାଯୋଗ୍ୟ, ଫେସବୁକ ଓ ଟୁଇଟର ଟ୍ରମ୍ପକୁ ବ୍ୟାନ କରିବା ପରେ ପରେ ସେ ନିଜର ଏକ ସୋସିଆଲ ମିଡିଆ ସାଇଟ୍ ଲଞ୍ଚ କରିବେ ବୋଲି କହିଥିଲେ । କମ୍ପାନୀ କହିଛି ସେମାନେ ଏକ ଭିଡିଓ-ଅନ-ଡିମାଣ୍ଡ ସେବା ଯୋଜନା କରିବାକୁ ଯାଉଛନ୍ତି ଯେଉଁଥିରେ ମନୋରଞ୍ଜନ, ପ୍ରୋଗ୍ରାମିଙ୍ଗ, ସମାଚାର ଆଦି ସାମିଲ ହେବ ।

Share