ୱାଶିଂଟନ,୪ ।୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନକୁ ବହୁମତ ମିଳିଛି । ଜାନୁୟାରୀ ୨୦ରେ ସେ ଶାସନ କ୍ଷମତା ଗ୍ରହଣ କରିବେ । ଏହାପରେ ବି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପରାଜୟକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହଁନ୍ତି । ରାଷ୍ଟ୍ରପତି ଆସନ ନ ଛାଡିବାକୁ ନେଇ ଟ୍ରମ୍ପ ନୂଆ ନୂଆ ବାଟ ଆପଣାଉଥିବା ଶୁଣିବାକୁ ମିଳିଛି । ନିକଟରେ ତାଙ୍କର ଏକ ଫୋନ୍ ରେକର୍ଡିଂ ସାମ୍ନାକୁ ଆସିଛି । ଏଥିରେ ଟ୍ରମ୍ପ ଜର୍ଜିଆର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ତାଙ୍କୁ ଜିତାଇବା ଭଳି ଭୋଟ ଯୋଗାଡ କରିବାକୁ କହୁଥିବା ଜଣାପଡିଛି । କୁହାଯାଉଛି କି ଭୋଟ ଗଣତି ସମୟରେ ନିଜର ପରାଜୟକୁ ଦେଖିବା ପରେ ସେ ଏହି ଫୋନ୍ କରିଥିଲେ । ଟ୍ରମ୍ପ କହିଥିଲେ ଏହି ଦକ୍ଷିଣ ରାଜ୍ୟରେ ତାଙ୍କର ବିଜୟକୁ ଲକ୍ଷ୍ୟ କରି ନିର୍ବାଚନ ଅଧିକାରୀ ପର୍ଯ୍ୟାପ୍ତ ପରିମାଣର ଭୋଟ ସଂଗ୍ରହ କରନ୍ତୁ । ଏହି ଫୋନ ରେକଡିଂ ଆମେରିକା ଗଣମାଧ୍ୟମ ଦ୍ୱାରା ଜାରି କରାଯାଇଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ଶୁଣିବାକୁ ମିଳିଥିଲା କି ନିଜର ପରାଜୟକୁ ସ୍ୱୀକାର କରିପାରୁ ନ ଥିବା ଟ୍ରମ୍ପ ମଧ୍ୟ ଆମେରିକାବାସୀ ଓ କେତେଜଣ ଅଧିକାରୀଙ୍କୁ ଏହାର ପରିଣାମ ଭୋଗିବେ ବୋଲି ଧମକ ଦେଇଥିଲେ । ଏମିତିକି ହାରିବା ପରେ ବି ସେ ରାଷ୍ଟ୍ରପତି ଭବନ ଛାଡିବେ ନାହିଁ ବୋଲି ମଧ୍ୟ ଅଡି ବସିଥିଲେ ।