ପୁଣି ଥରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ଟ୍ରମ୍ପ, କଲେ ବଡ଼ ଘୋଷଣା

ଓ୍ବାଶିଂଟନ,୧୬।୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୨୪ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଫ୍ଲୋରିଡାର ପାଲମ ବିଚ୍‌ର ମାର-ଏ-ଲାଗୋ ଇଷ୍ଟେଟରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମଙ୍ଗଳବାର ସେ ଏନେଇ ଘୋଷଣା କରିଛନ୍ତି। ତେବେ ଏହି ଘୋଷଣାର କିଛି ସମୟ ପୂର୍ବରୁ ଟ୍ରମ୍ପ ଆନୁଷ୍ଠାନିକ ଭାବେ ରାଷ୍ଟ୍ରପତି ପଦ ଲାଗି କାଗଜପତ୍ର ଦାଖଲ କରିଥିଲେ।

ହଜାର ହଜାର ସମର୍ଥକଙ୍କ ସାମ୍ନାରେ ୭୬ ବର୍ଷୀୟ ଟ୍ରମ୍ପ କହିଛନ୍ତି, ଆମେରିକାକୁ ପୁଣିଥରେ ମହାନ କରିବା ଲାଗି ମୁଁ ପୁଣିଥରେ ଆମେରିକାର ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀତ୍ୱ ଘୋଷଣା କରୁଛି। ମୁଁ ଆପଣ ସମସ୍ତଙ୍କର ସ୍ବର। ମୋତେ ଲାଗେ ଆମେରିକାର ପ୍ରକୃତ ମହାନତା ଏଯାଏ ବିଶ୍ୱ ଦେଖିନାହିଁ। ଏଣୁ ମୁଁ ନିର୍ବାଚନରେ ପ୍ରତିନ୍ଦ୍ୱନ୍ଦ୍ୱିତା କରିବି ବୋଲି ସେ କହିଛନ୍ତି।

ଏହାଛଡ଼ା ନିଜର ୪ ବର୍ଷର କାର୍ଯ୍ୟକାଳ ସମ୍ପର୍କରେ ଟ୍ରମ୍ପ କହିଛନ୍ତି ଯେ, ଉକ୍ତ ସ୍ବଳ୍ପ ସମୟ ମଧ୍ୟରେ ସମସ୍ତେ ବହୁତ ଭଲ କାମ କରୁଥିଲେ, ସମସ୍ତେ ପୂର୍ବ ଭଳି ଉନ୍ନତି କରୁଥିଲେ। ହେଲେ କରୋନା ମହାମାରୀ ସମୟରେ ତାଙ୍କର କାର୍ଯ୍ୟକାଳ ସମାପ୍ତ ହୋଇଥିଲା। ସେତେବେଳେ ଅର୍ଥନୀତି ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ବେଳେ ଏବେ ଦେଶ ପୁଣି ତଳକୁ ଖସୁଛି। ୟୁକ୍ରେନରେ ହୋଇଥିବା ବିବାଦର ମୁକାବିଲା ଲାଗି ବର୍ତ୍ତମାନର ରାଷ୍ଟ୍ରପତି ବାଇଡେନ୍‌ ଦେଶକୁ ଆଣବିକ ଯୁଦ୍ଧର ନିକଟବର୍ତ୍ତୀ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

Share