ଜଣାପଡ଼ିଲା ଟ୍ରମ୍ପଙ୍କୁ କିଏ ମାରିଛି ଗୁଳି

ୱାଶିଂଟନ, ୧୪।୭: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳି ଚଳାଇଥିବା ବ୍ୟକ୍ତିଙ୍କ ପରିଚୟ ଖୋଜି ପାଇଛି ପୋଲିସ୍‌ । ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ଜଣେ ୨୦ ବର୍ଷୀୟ ଯୁବକ । ଅଭିଯୁକ୍ତର ନାମ ମାଥ୍ୟୁ ବୋଲି ଜଣାପଡ଼ିଛି । ହେଲେ ସେ କାହିଁକି ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ ତାହା ଜଣାପଡ଼ିନାହିଁ । ଅଭିଯୁକ୍ତର କେଉଁ କେଉଁ ମାନଙ୍କ ସହିତ ସମ୍ପର୍କ ରହିଛି ତାହା ତଦନ୍ତକାରୀ ଏଜେନ୍ସି ଯାଞ୍ଚ କରୁଛି ।

ଏକ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ମାଥ୍ୟୁ ଏକ ନିର୍ମାଣାଧୀନ କୋଠାର ଛାତରେ ରହିଥିଲା । ସେଠାରୁ ସେ ଟ୍ରମ୍ପଙ୍କୁ ଟାର୍ଗେଟ୍‌ କରି ଗୁଳି ଚଳାଇଥିଲେ । କିନ୍ତୁ ସୌଭାଗ୍ୟବଶତଃ ସେ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି । ଗୁଳିଟି ତାଙ୍କ କାନରେ ବାଜି ଚାଲିଯାଇଥିଲା ।

ସୂଚନା ଥାଉକି,  ପେନ୍‌ସ୍ଲେଭାନିଆରେ ଆୟୋଜିତ ଏକ ରାଲିରେ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ଼ କରାଯାଇଥିବା ଜଣାପଡ଼ିଛି । ଗୁଳି ଶବ୍ଦ ଶୁଣି ତାଙ୍କର ଅଙ୍ଗରାଖୀମାନେ ତାଙ୍କୁ ମଞ୍ଚ ଉପରୁ ଓହ୍ଲାଇ ଦେଇଥିଲେ । ଏହି ସମୟରେ ତାଙ୍କର ଡାହାଣ କାନରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା । ହେଲେ ସେ ଏବେ ବିପଦ ମୁକ୍ତ ରହିଛନ୍ତି । ଅନ୍ୟପଟେ ଏହି ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଛି । ଆମେରିକାରେ ନଭେମ଼୍ବର ମାସରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଏହି ସମୟରେ ପୂର୍ବତନ ରାଷ୍ଟ୍ରପତିଙ୍କ ଉପରକୁ ଗୁଳିମାଡ଼ ଆମେରିକା ନାଗରିକଙ୍କ ଚିନ୍ତା ବଢ଼ାଇଛି। ଏନେଇ ସିକ୍ରେଟ ସର୍ଭିସ ଏକ୍ସରେ ଏକ ପୋଷ୍ଟ କରି କହିଛି ଯେ, ପୂର୍ବତନ ରାଷ୍ଟ୍ରପତି ସୁରକ୍ଷିତ ଅଛନ୍ତି ।

Share