ବଲାଙ୍ଗୀର ଅଫିସ, ୨୩ା୨: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଫର୍ମାସିଷ୍ଟ ଶୁଭେନ୍ଦ୍ର ନେପାକ ଚାକିରିରୁ ଅବସର ଗ୍ରହଣ ପରେ ଦେଖାଇଛନ୍ତି ମହତାଦର୍ଶ। ଡାକ୍ତରୀ ଛାତ୍ରୀଛାତ୍ରଙ୍କ ଶିକ୍ଷା ଏବଂ ଗବେଷଣା ପାଇଁ ମୃତ୍ୟୁ ପରେ ସେ ତାଙ୍କ ମରଶରୀରକୁ ମେଡିକାଲ କଲେଜ ହସ୍ପିଟାଲକୁ ଦାନ କରିବେ ବୋଲି ଉତ୍ସର୍ଗପତ୍ରରେ ଘୋଷଣା କରିଛନ୍ତି। ତାଙ୍କର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି। ଗତ ଜାନୁୟାରୀ ୩୧ ତାରିଖରେ ଫର୍ମାସିଷ୍ଟ ଭାବେ କାର୍ଯ୍ୟ କରୁଥିବା ନେପାକ ଚାକିରିରୁ ଅବସର ଗ୍ରହଣ କରିଥିଲେ। ଅବସର ଗ୍ରହଣ ପରେ ତାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସଭାରେ ସେ ନିଜ ଶରୀରକୁ ମତ୍ୟୁ ପରେ ଉତ୍ସର୍ଗ କରିବାକୁ ନିଷ୍ପତ୍ତି ନେଇଥିବା ଜଣାଇଥିଲେ। ଦୀର୍ଘ ୩୨ ବର୍ଷ କାଳ ଲୋକଙ୍କୁ ସେବା ଯୋଗାଇଥିବା ନେପାକ ୧୯୯୦ ମସିହାରେ ବଲାଙ୍ଗୀର ଜିଲାର ତୁରେକେଲା ପ୍ରାଥମିକ ଚିକିତ୍ସାଳୟ, ମଳମଣ୍ଡା ସ୍ବାସ୍ଥ୍ୟକେନ୍ଦ୍ର, ରାଜେନ୍ଦ୍ର କଲେଜ ସ୍ବାସ୍ଥ୍ୟକେନ୍ଦ୍ର, ବଲାଙ୍ଗୀର ଜିଲା ମୁ୍ଯଯ ଚିକିତ୍ସାଳୟ ଏବଂ ପରେ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ କାର୍ଯ୍ୟ କରିଥିଲେ। କରୋନା ମହାମାରୀ ସମୟରେ ଅମ୍ଳଜାନ ପରିଚାଳନାରେ ସେ ଗୁରୁଦାୟିତ୍ୱ ନିର୍ବାହ କରି ସମସ୍ତଙ୍କ ପ୍ରଶଂସାଭାଜନ ହୋଇଥିଲେ। ଶରୀର ଦାନ କରିବାକୁ ନିଷ୍ପତ୍ତି ନେଇଥିବା ନେପାକ ହେଉଛନ୍ତି ପ୍ରଥିତଯଶା ସାହିତି୍ୟକ ସ୍ବର୍ଗତ ଭାଗିରଥି ନେପାକଙ୍କ ସୁପୁତ୍ର। ମେଡିକାଲ ଛାତ୍ରୀଛାତ୍ରଙ୍କ ପାଇଁ ଶରୀର ଦାନ କରିଥିବାରୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ଅଧିକ୍ଷିକା ଡା ମାନସୀ ପଣ୍ଡା, ଡା ପ୍ରଭାତ କୁମାର ରଥ, ଡା ମୁରଲୀଧର ପାଣିଗ୍ରାହୀ, ଡ ଶରତ କୁମାର ନାଗ, ବରିଷ୍ଠ ଫର୍ମାସିଷ୍ଟ ରବୀନ୍ଦ୍ର କୁମାର ଜେନା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।