ସରିଲା ନାର୍କୋ ଟେଷ୍ଟ: ଗୋପାଳ ଅଚେତ

ଭୁବନେଶ୍ୱର,୧୧ା୨(ବ୍ୟୁରୋ): ଦିବଂଗତ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ହତ୍ୟାକାଣ୍ଡ ମାମଲାରେ ଗୁଜରାଟ ଗାନ୍ଧୀନଗର ଡିଏଫ୍‌ଏସ୍‌ଏସ୍‌ ଲ୍ୟାବ୍‌ରେ  ଅଭିଯୁକ୍ତ ଗୋପାଳ ଦାସଙ୍କ ନାର୍କୋ ଟେଷ୍ଟ ସରିଛି। ନାର୍କୋ ଟେଷ୍ଟ ପାଇଁ ଦୁଇ ଦିନ ଧରି ପ୍ରକ୍ରିୟା ଚାଲୁ ରହିଥିଲା। ତେବେ ଆଜି ନାର୍କୋ ଟେଷ୍ଟ ସରିବା ପରେ ଗୋପାଳ ଚେତାଶୂନ୍ୟ ହୋଇପଡ଼ିଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କର ଚେତା ଫେରି ନ ଥିବା ସୂଚନା ମିଳିଛି। ତେବେ ଚେତା ଫେରିବାକୁ ଆଉ କିଛି ସମୟ ଲାଗିପାରେ ବୋଲି କ୍ରାଇମବ୍ରାଞ୍ଚ ସୂଚନାରୁ ଜଣାପଡ଼ିଛି।

ନାର୍କୋ ଟେଷ୍ଟ ପୂର୍ବରୁ ଗୋପାଳଙ୍କ ପଲିଗ୍ରାଫ ଟେଷ୍ଟ କରାଯାଇଥିଲା। ନାର୍କୋ ଟେଷ୍ଟ ପୂର୍ବରୁ ଅଭିଯୁକ୍ତ ଗୋପାଳଙ୍କ ଶରୀରର ରକ୍ତଚାପ, ମଧୁମେହ ସହ ଅନ୍ୟାନ୍ୟ ପରୀକ୍ଷା କରାଯାଇଥିଲା। ଗତ ୯ ତାରିଖରେ ଗୋପାଳଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିଲା। ଶନିବାର ନାର୍କୋ ଟେଷ୍ଟ ସରିଥିବାରୁ ରବିବାର ଗୋପାଳଙ୍କୁ ପୁଣି ଝାରସୁଗୁଡ଼ା ଅଣାଯିବ।

Share