ଡଙ୍କି: ଉଚ୍ଚାଭିଳାଷର ଦୁଃସ୍ବପ୍ନ

ନିକଟରେ ମୁକ୍ତିଲାଭ କରିଥିବା ଶାହରୁଖ ଖାନ୍‌ଙ୍କର ଚଳଚ୍ଚିତ୍ର ଡଙ୍କିକୁ ନେଇ ଏବେ କେବଳ ଭାରତ ନୁହେଁ, ଭାରତ ବାହାରେ ଖୁବ୍‌ ଚର୍ଚ୍ଚା। ଏହି ଚର୍ଚ୍ଚା ଭିତରେ ବିଶେଷ ଭାବେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ଗୁଜରାଟର ଡିଙ୍ଗୁଚା ଗ୍ରାମ। ଏହି ଗ୍ରାମର ସାମ୍ପ୍ରତିକ ସ୍ଥିତି ହେଲା ଗ୍ରାମର ପ୍ରାୟ ପଚାଶ ପ୍ରତିଶତ ଘର ଏବେ ମଣିଷଶୂନ୍ୟ। କାରଣ ଏହି ଗ୍ରାମର ଅଧିକାଂଶ ଲୋକ ନିଜର ମାତୃଭୂମି ଛାଡ଼ି ଆମେରିକା ଓ କାନାଡ଼ାରେ ରହୁଛନ୍ତି। ଏବେ ବି ଏହି ଗାଁରେ ପୋଷ୍ଟର ଲଗାଯାଇଛି ଯେ, ଯଦି କାନାଡ଼ା ବା ଆମେରିକାରେ ପଢ଼ିବାର ଅଛି ତୁରନ୍ତ ଆବେଦନ କରନ୍ତୁ। ମାତ୍ର ତିନିଦିନରେ ମିଳିବ ଅଫର ଲେଟର। ଅଧିକ ରୋଜଗାର, ଚାକଚକ୍ୟ ଓ ବିଳାସପୂର୍ଣ୍ଣ ଜୀବନଶୈଳୀ, ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତର ସ୍ବପ୍ନ ନେଇ ଲୋକମାନେ ନିଜର ଭିଟାମାଟି ଛାଡ଼ି ଦେଉଛନ୍ତି ସତ, ହେଲେ ତା’ ପରବର୍ତ୍ତୀ ଦୁଃଖଦ ସ୍ଥିତିରେ ଉପନୀତ ହେଲାବେଳକୁ କେହି ପାଖରେ ନ ଥା’ନ୍ତି। ଯେଉଁଦିନ ଡିଙ୍ଗୁଚା ଗ୍ରାମର କିଛି ଲୋକ ଗାଁ ଛାଡ଼ି ଆମେରିକା ଯାଉଥିବାର ଦୃଶ୍ୟ ୩୩ ବର୍ଷୀୟ ଜଗଦୀଶ ପାଟିଲ ଦେଖିଲା, ସେଦିନ ରାତିରେ ତାକୁ ଆଉ ନିଦ ଆସିନଥିଲା। ସେ ବି କିପରି ଆମେରିକା ଯିବ, ନିଜ ପିଲାଙ୍କୁ ଭଲ ଶିକ୍ଷା ଦେବ, ନିଜ ପତ୍ନୀ ସେଠାରେ ବିୟୁଟିପାର୍ଲର ଖୋଲିବ, ଏହି କଥା ଭାବି ସେ ଅସ୍ଥିର ହୋଇ ଉଠିଲା। ଶେଷରେ ବିଦେଶକୁ ପଠାଉଥିବା ଭିସା କମ୍ପାନୀର ଦଲାଲଙ୍କ ସହ ଯୋଗସୂତ୍ର ରଖିଲା। ସମସ୍ତ ସମ୍ପତ୍ତିବାଡ଼ି ବିକ୍ରି କରି ୬୫ ଲକ୍ଷ ଟଙ୍କା ଯୋଗାଡ଼ କରିଥିଲା ଓ ନିଜର ପତ୍ନୀ ଏବଂ ଦୁଇ ଛୋଟ ଛୋଟ ସନ୍ତାନଙ୍କୁ ଧରି ଟରେଣ୍ଟୋ ବିମାନରେ ବସିପଡ଼ିଲା। ଦଲାଲଙ୍କ ଦାୟିତ୍ୱ ଥିଲା ଜଗଦୀଶ ପରିବାରକୁ ସେ କାନାଡ଼ା-ଆମେରିକା ସୀମା ନିକଟରେ ପହଞ୍ଚାଇଦେବ। ସେଠାରୁ ସେମାନେ ଚାଲି ଚାଲି ଆମେରିକା ଭିତରକୁ ଯିବେ, ଯାହାକି ସମ୍ପୂର୍ଣ୍ଣ ବେଆଇନ। ଟରେଣ୍ଟୋରେ ପହଞ୍ଚତ୍ବାର ସାତ ଦିନ ପରେ ଜଗଦୀଶ ନିଜ ପରିବାର ସହ ଅତ୍ୟଧିକ ଥଣ୍ଡା ଓ ତୁଷାରପାତ ଯୋଗୁଁ ମୃତ୍ୟୁବରଣ କରିଥିବା ଜଣାପଡିଥିଲା। କାନାଡ଼ା-ଆମେରିକା ସୀମାରେ ବିଯୁକ୍ତ ୩୫ ଡିଗ୍ରୀ ତାପମାତ୍ରା ବୋଲି ଜଗଦୀଶଙ୍କୁ କେହି କହିନଥିଲେ। ତାଙ୍କ ମୃତ ଶରୀରକୁ ଅର୍ଥ ଖର୍ଚ୍ଚ କରି କାନାଡ଼ାରୁ ଭାରତ ଆଣିବାକୁ କେହି ଆତ୍ମୀୟ ବି ରାଜି ହୋଇନଥିଲେ।
ଜଗଦୀଶ ପଟେଲ ଗୋଟିଏ ଉଦାହରଣ ନୁହନ୍ତି। ଅନେକ ଜଗଦୀଶ ଏହିପରି ଉଚ୍ଚାଭିଳାଷୀ ହୋଇ ମୃତ୍ୟୁବରଣ କରୁଛନ୍ତି ବା ବେଆଇନ ଅନୁପ୍ରବେଶ ଆଧାରରେ ବିଦେଶର ଜେଲରେ ଜୀବନ ବିତାଉଛନ୍ତି। ନିକଟରେ ୩୦୦ରୁ ଅଧିକ ଭାରତୀୟଙ୍କୁ ନେଇ ଏକ ବିମାନ, ଯାହା ପ୍ରଥମେ ନିକାରାଗୁଆ ଅଭିମୁଖେ ଯାଉଥିଲା, ‘ମାନବ ଚାଲାଣ’ ସନ୍ଦେହରେ ଚାରି ଦିନ ଫ୍ରାନ୍ସରେ ଫସି ରହିବା ପରେ ଭାରତ ଫେରି ଆସିଥିଲା। ଏହି ବିମାନଟି ଭାରତରୁ ବେଆଇନ ପ୍ରବାସୀମାନଙ୍କୁ ନେଇ ଯାଉଥିବା ଖବର ଫ୍ରାନ୍ସ କର୍ତ୍ତୃପକ୍ଷ କୌଣସି ଏକ ସୂତ୍ରରୁ ଜାଣିବା ପରେ ଚାଲନ୍ସ-ଭାଟ୍ରି ବିମାନ ବନ୍ଦରରେ ଏହି ଡଙ୍କି ଉଡ଼ାଣକୁ ଅଟକାଇ ଦିଆଯାଇଥିଲା। ଡଙ୍କି ଶବ୍ଦ ପଞ୍ଜାବୀ ଭାଷାରୁ ଉତ୍ପନ୍ନ ହୋଇଛି, ଯାହାର ଅର୍ଥ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବେଆଇନ ଭାବେ ଯିବା। ସାଧାରଣତଃ ବିଭିନ୍ନ ଦେଶକୁ ପରୋକ୍ଷ ମାର୍ଗ ଦେଇ ବେଆଇନ ଭାବେ ସୀମା ଅତିକ୍ରମ କରାଯିବାକୁ ଡଙ୍କି ପଦ୍ଧତି ବା ଡଙ୍କି ଉଡାଣ କୁହାଯାଇଥାଏ। ଉଦାହରଣ ସ୍ବରୂପ, ବ୍ୟକ୍ତିମାନେ ୟୁରୋପିଆନ ୟୁନିଅନ ସ୍କେଙ୍ଗେନ ଅଞ୍ଚଳ ପାଇଁ ଏକ ଟୁରିଷ୍ଟ ଭିସା ପାଇଥା’ନ୍ତି, ଯେଉଁଠାରୁ କି ୨୬ଟି ଦେଶକୁ ମୁକ୍ତ ଚଳାଚଳର ଅନୁମତି ରହିଛି। ଜଣେ ଏହିଠାରେ ପହଞ୍ଚତ୍ବା ପରେ ଏଜେଣ୍ଟଙ୍କ ସାହାଯ୍ୟରେ ବେଆଇନ ଭାବରେ ବ୍ରିଟେନରେ ପ୍ରବେଶ କରିପାରିବ। ନକଲି ଡକ୍ୟୁମେଣ୍ଟେସନଠାରୁ ଆରମ୍ଭ କରି ଶିପିଂ କଣ୍ଟେନର ମାଧ୍ୟମରେ ଚୋରାଚାଲାଣ ପର୍ଯ୍ୟନ୍ତ ସମସ୍ତ ସେବା ପାଇଁ ଏହି ଏଜେଣ୍ଟମାନେ ଅଧିକ ଫି’ ଆଦାୟ କରି ସେବା ଯୋଗାଇଥାଆନ୍ତି।
ଆମେରିକାର କଷ୍ଟମ୍ସ ଏବଂ ସୀମା ସୁରକ୍ଷା (ୟୁସିବିଏ) ତଥ୍ୟ ଅନୁଯାୟୀ ଅକ୍ଟୋବର ୨୦୨୨ରୁ ସେପ୍ଟେମ୍ବର ୨୦୨୩ ମଧ୍ୟରେ ବେଆଇନ ଭାବେ ଡଙ୍କି ପଦ୍ଧତିରେ ଆମେରିକାରେ ପ୍ରବେଶ କରୁଥିବା ସମୟରେ ୯୬,୯୧୭ ଜଣ ଭାରତୀୟଙ୍କୁ ଧରାଯାଇଥିଲା। କେବଳ ଆମେରିକା ସୀମା ନୁହେଁ, ସହସ୍ରାଧିକ ଭାରତୀୟ କାନାଡ଼ା ସୀମାରେ ଏବଂ ମେକ୍ସିକୋ ସୀମାରେ ଧରାପଡ଼ନ୍ତି। ଖବର ଅନୁଯାୟୀ, ଇକ୍ୟୁଏଡର୍‌, ବଲିଭିଆ କିମ୍ବା ଗୁଇନା ପରି ଲାଟିନ ଆମେରିକୀୟ ଦେଶରେ ସହଜ ପର୍ଯ୍ୟଟନ ଭିସା ଯୋଗେ ପହଞ୍ଚତ୍ବା ପରେ ଭାରତୀୟ ନାଗରିକମାନେ ସେଠାରୁ ଡଙ୍କି ପଦ୍ଧତିରେ ଅନ୍ୟ ଦେଶକୁ ଯିବା ଆରମ୍ଭ କରିଥା’ନ୍ତି। କେତେକ ଏଜେଣ୍ଟ ଦୁବାଇରୁ ମେକ୍ସିକୋ ପାଇଁ ସିଧାସଳଖ ଭିସା ବ୍ୟବସ୍ଥା କରନ୍ତି। ତଥାପି ସିଧାସଳଖ ମେକ୍ସିକୋରେ ଅବତରଣ କରିବା ଅଧିକ ବିପଜ୍ଜନକ ବୋଲି ବିବେଚନା କରାଯାଏ। କାରଣ ସେଠାରେ ସ୍ଥାନୀୟ କର୍ତ୍ତୃପକ୍ଷ ପ୍ରବାସୀମାନଙ୍କୁ ଦେଖି ତତ୍‌କ୍ଷଣାତ ତନଖି କରି ଗିରଫ କରିଥା’ନ୍ତି। ଲାଟିନ୍‌ ଆମେରିକାରୁ, ଅଧିକାଂଶ ଏଜେଣ୍ଟ ନିଜ ଗ୍ରାହକମାନଙ୍କୁ କଲମ୍ବିଆକୁ ନେଇଯାଆନ୍ତି, ଯାହା ପାନାମା ଅପେକ୍ଷା ଆମେରିକାର ସୀମା ନିକଟବର୍ତ୍ତୀ । କଲମ୍ବିଆରୁ ପ୍ରବାସୀମାନେ କଲମ୍ବିଆ ଏବଂ ପାନାମାକୁ ପୃଥକ୍‌ କରୁଥିବା ଡାରିଏନ ଗ୍ୟାପ ନାମକ ଏକ ବିପଜ୍ଜନକ ଜଙ୍ଗଲ ଦେଇ ପାନାମାରେ ପ୍ରବେଶ କରନ୍ତି। ଏହି ଜଙ୍ଗଲରେ କୌଣସି ରାସ୍ତା କିମ୍ବା ସେତୁ ନାହିଁ ଏବଂ ଏହା ଭୟଙ୍କର ବନ୍ୟ ପ୍ରାଣୀ ଏବଂ ଆନାକୋଣ୍ଡା ଭଳି ବିଷାକ୍ତ ସାପଙ୍କର ଅଞ୍ଚଳ। ଯଦି ସବୁକିଛି ଠିକ୍‌ ହୁଏ, ପାନାମାର ଜଙ୍ଗଲ ଏବଂ ପର୍ବତ ଦେଇ ଯାତ୍ରା ଆଠରୁ ଦଶ ଦିନ ନେଇଥାଏ। ଏହା ପରେ ପ୍ରବାସୀମାନେ ଗୁଆଟେମାଲା ସହିତ ମେକ୍ସିକୋର ଦକ୍ଷିଣ ସୀମାରେ ପହଞ୍ଚତ୍ବା ପୂର୍ବରୁ କୋଷ୍ଟାରିକା ଏବଂ ନିକାରାଗୁଆକୁ ଯାଇଥା’ନ୍ତି। ସେଠାରୁ ଗୁଆଟେମାଲା ସହିତ ସାଲ୍‌ଭାଡୋରର ଦକ୍ଷିଣ ସୀମାରେ ପହଞ୍ଚତ୍ବା ପୂର୍ବରୁ ସେମାନଙ୍କୁ ହୋଣ୍ଡୁରାସ ସହିତ ଗୁଆଟେମାଲାର ଉତ୍ତର ସୀମା ଅତିକ୍ରମ କରିବାକୁ ପଡ଼ିଥାଏ। ପାଣିପାଗ ପରିସ୍ଥିତି, ରାଜନୈତିକ ପରିସ୍ଥିତି, ମାନବ ଚାଲାଣ ନେଟ୍‌ୱର୍କ ଇତ୍ୟାଦି ବିଭିନ୍ନ କାରଣ ଉପରେ ନିର୍ଭର କରି ସମଗ୍ର ପ୍ରକ୍ରିୟା ଅନେକ ମାସ ନେଇପାରେ। ଗତ ବର୍ଷ ସର୍ବିଆକୁ ୟୁରୋପୀୟ ୟୁନିଅନର ଚାପରେ ଭିସା ନିୟମ ପରିବର୍ତ୍ତନ କରିବାକୁ ପଡ଼ିଲା। ଏହାର କାରଣ ହେଲା ବାଲ୍‌କାନ ରାଷ୍ଟ୍ରରୁ ୟୁରୋପକୁ ଏକ ବେଆଇନ ଗମନାଗମନ ମାର୍ଗ ଭାବରେ ଭାରତୀୟଙ୍କ ସମେତ ଅନେକେ ବ୍ୟବହାର କରୁଥିଲେ।
ଭାରତୀୟଙ୍କ ସମେତ ତୁର୍କୀ, ଟ୍ୟୁନିସିଆ, କ୍ୟୁବା ଏବଂ ବୁରୁଣ୍ଡିର ନାଗରିକମାନଙ୍କ ପାଇଁ ବେଲ୍‌ଗ୍ରେଡର ଭିସାମୁକ୍ତ ପ୍ରବେଶ ସୁବିଧା ଅଷ୍ଟ୍ରିଆ, ହଙ୍ଗେରୀ ଏବଂ ରୋମାନିଆ ଏବଂ ଶେଷରେ ଇଟାଲୀ ଏବଂ ଫ୍ରାନ୍ସକୁ ବେଆଇନ ପ୍ରବେଶ କରିବାରେ ସହାୟକ ହେଉଥିଲା। କାରଣ ସର୍ବିଆରୁ ୟୁରୋପୀୟ ଦେଶକୁ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ ଭିସା ଦରକାର ନାହିଁ। ୟୁରୋପୀୟ କର୍ତ୍ତୃପକ୍ଷ ୨୦୨୨ର ପ୍ରଥମ ଦଶ ମାସରେ ଏକ ଲକ୍ଷରୁ ଅଧିକ ବେଆଇନ ପ୍ରବାସୀ ଭାରତୀୟଙ୍କୁ ଧରିବା ପରେ ଏହି ବେଆଇନ ଅନୁପ୍ରବେଶ ଘଟଣା ସାମ୍ନାକୁ ଆସିଥିଲା।
ଅଭିଯୋଗ ଆସେ ଯେ ଭାରତରେ ଏପରି ଅନେକ ଭିସା କମ୍ପାନୀ ଅଛି, ଯେଉଁମାନଙ୍କର ଏଜେଣ୍ଟମାନେ ବେଆଇନ ଭାବେ ଭାରତୀୟମାନଙ୍କୁ କାନାଡ଼ା ଓ ଆମେରିକା ଭଳି ଦେଶରେ ପହଞ୍ଚାଇ ଦେବାକୁ ପ୍ରତିଶ୍ରୁତି ଦେଇଥା’ନ୍ତି। ଏଥିପାଇଁ ପରିବାର ପିଛା ୬୦ ରୁ ୭୦ ଲକ୍ଷ ଟଙ୍କା ଦାବି କରିଥା’ନ୍ତି। ଏହି ଚତୁର ଏଜେଣ୍ଟମାନଙ୍କ କଥାକୁ ସହଜ ଭାବେ ବିଶ୍ବାସ କରି ଅନେକ ଲୋକ ଫସୁଛନ୍ତି। ଗୁଜରାଟ, ହରିୟାଣା ଭଳି ରାଜ୍ୟରେ ବ୍ୟାପକ ବେରୋଜଗାରିରୁ ମୁକ୍ତି ପାଇବା ପାଇଁ ସରଳ ବିଶ୍ବାସୀ ଲୋକମାନେ ଏପରି ଦୁର୍ଦ୍ଦିନର ସମ୍ମୁଖୀନ ହେଉଛନ୍ତି। ଯେଉଁମାନେ ନିଜ ମାତୃଭୂମିକୁ ତ୍ୟାଗ କରି ଏପରି ବେଆଇନ ପନ୍ଥା ବା ଡଙ୍କିକୁ ଅନୁସରଣ ପୂର୍ବକ ଅନ୍ୟ ରାଷ୍ଟ୍ରରେ ପ୍ରବେଶ କରୁଛନ୍ତି, ସେମାନେ ତାହାର ଦୁଃପରିଣାମ ନିଶ୍ଚିତ ଭୋଗିବେ।

  • ପ୍ରକାଶ ତ୍ରିପାଠୀ
    ମୋ: ୯୪୩୭୨୩୨୪୬୩

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

ସନ୍ଦେହଘେରରେ ୟୁପିଏସ୍‌

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକର ସମର୍ଥନ ଓ ଭାଗୀଦାରିରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନ୍‌ଜେସିଏ) ଭଳି ଏକ ବୃହତ୍‌କାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳ...

ପରିସ୍ଥିତିର ଦାସ

ରୁଷିଆ-ୟୁକ୍ରେନ ଯୁଦ୍ଧ ଡିସେମ୍ବର ୨୧ରେ ଏକ ଭିନ୍ନ ଚିତ୍ର ତୋଳିଛି। ୨୦୦୧ ସେପ୍ଟେମ୍ବର ୧୧ (୯/୧୧)ରେ ଓସମା ବିନ୍‌ ଲାଡେନ୍‌ଙ୍କ ସଙ୍ଗଠନ ଅଲ୍‌-କାଏଦା ଆମେରିକାର ବିଶ୍ୱ...

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

ନାଗା ସୃଜନ ନାୟିକା

ଏବେ ସାହିତ୍ୟରେ ଗୋଟେ ନୂଆ ଫର୍ମାଟ୍‌ ବିକଶିତ ହୋଇଛି। ପୁରୁଣା କଥାବସ୍ତୁ, ପୌରାଣିକ ଆଖ୍ୟାୟିକା, ଐତିହାସିକ ଘଟଣାବଳୀକୁ ଲେଖକମାନେ ନୂତନ ଢଙ୍ଗରେ ବ୍ୟାଖ୍ୟାନ କରି ବଡ଼...

ଗଣତନ୍ତ୍ରରେ ଦଳ ଓ ସରକାର

ଆମ ଦେଶ ଯେ ବିଶ୍ୱରେ ଏକ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ପରିଚିତ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ୭୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ...

ଆଗକୁ କ’ଣ ଘଟିବ

୨୦୨୫ ବର୍ଷଟି ବିଭିନ୍ନ ଉପାୟରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ। ଡୋନାଲ୍ଡ ଟ୍ରମ୍ପ ଆସନ୍ତା ମାସରେ ପୁନର୍ବାର ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri