ହିସାରରେ ମିଳିବ ଗଧ କ୍ଷୀର: ୧ ଲିଟରର ଦାମ ୭ ହଜାର ଟଙ୍କା!

ହିସାର,୨୩।୮: ଆମେ ସମସ୍ତେ ଗାଈ, ମଇଁଷି ଅବା ଛେଳି କ୍ଷୀରର ବ୍ୟବହାର ବିଷୟରେ ଜାଣିଛେ। ହେଲେ ଗଧ କ୍ଷୀର କଥା ଶୁଣିଲେ ସାମାନ୍ୟ ଭ୍ରୁକୁଞ୍ଚନ ସୃଷ୍ଟି ହୁଏ। କାରଣ ଏହାର ବ୍ୟବହାର ଅଧିକାଂଶଙ୍କୁ ଜଣା ନାହିଁ କହିଲେ ଚଳେ। ଗଧ ଶବ୍ଦର ବ୍ୟବହାର ଆମେ କେବଳ କାହାକୁ ଚିଡାଇବାକୁ କରିଥାଉ। ହେଲେ ଗଧର ଉପଯୋଗୀତା ବି ମଣିଷ ଜୀବନରେ ରହିଛି। ଦେଶର ବିଭିନ୍ନ ସ୍ଥାନରେ ଗାଈ, ମଇଁଷିଙ୍କର ଡାଏରୀ ଫାର୍ମ ଖୋଲିଥିବା କଥା ଶୁଣିବାକୁ ମିଳିଛି। ଯେଉଁଠାରେ ଗାଈ, ମଇଁଷି କ୍ଷୀର ମିଳିଥାଏ। ହେଲେ ଏବେ ହରିୟାଣାର ହିସାରରେ ଗଧ କ୍ଷୀରର ଏକ ଡାଏରୀ ଫାର୍ମ ଖୋଲିବାକୁ ଯାଉଛି ବୋଲି ଶୁଣିବାକୁ ମିଳିଛି। ଦେଶରେ ପ୍ରଥମ କରି ଏହି ଡାଏରୀ ଖୋଲିବାକୁ ଯାଉଛି। ଆଉ ଏଠାରେ ଗୋଟିଏ ଲିଟର ଗଧି କ୍ଷୀରର ଦାମ୍‌ ରହିଛି ୭ ହଜାର ଟଙ୍କା। ଏହି କ୍ଷୀର ମଣିଷ ପାଇଁ କେବଳ ଲାଭଦାୟକ ନୁହେଁ ବରଂ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଠିକ୍‌ କରିବାରେ ଯଥେଷ୍ଟ ସାହାଯ୍ୟ କରିଥାଏ। ଏଥିରେ ଅନେକ ବିୟୁଟି ପ୍ରଡକ୍ଟ ମଧ୍ୟ ପ୍ରସ୍ତୁତ କରାଯାଇଥାଏ। ରାଷ୍ଟ୍ରୀୟ ଅଶ୍ୱ ଅନୁସନ୍ଧାନ କେନ୍ଦ୍ର(ଏନ୍‌ଆର୍‌ସିଇ) ହିସାରରେ ଗଧି କ୍ଷୀରର ଏକ ଡାଏରୀ ଖୋଲିବାକୁ ଯୋଜନା କରାଯାଇଛି। ଏଥିରେ ହିଲାରି କିସମ ଗଧିର କ୍ଷୀର ମିଳିବ। ଏଥିପାଇଁ ପୂର୍ବରୁ ଏନ୍‌ଆର୍‌ସିଇ ୧୦ଟି ହିଲାରି କିସମ ଗଧିଙ୍କୁ ଆଣି ରଖିଛି। ଏବେ ଏହାର ବ୍ରିଡିଂ କରାଯାଉଛି। ଏହି ପ୍ରଜାତିର ଗଧି କେବଳ ଗୁଜରାଟରେ ମିଳିଥାଆନ୍ତି। ଏମାନଙ୍କ କ୍ଷୀର କ୍ୟାନସର, ମେଦବହୁଳତା, ଏଲର୍ଜି ଆଦି ସହ ଲଢିବାର କ୍ଷମତା ରଖିଛି। ବେଳେବେଳେ କେତେଜଣ ଶିଶୁଙ୍କ ପାଖରେ ଗାଈ ଅବା ମଇଁଷି କ୍ଷୀର ଆଲର୍ଜି ସୃଷ୍ଟି କରିଥାଏ। ହେଲେ ଏହି ପ୍ରଜାତିର ଗଧି କ୍ଷୀର କୌଣସି ଆଲର୍ଜି କରି ନ ଥାଏ ବୋଲି ବିଶେଷଜ୍ଞମାନେ କୁହନ୍ତି। ଏହା ଶରୀରରେ ଥିବା ଜଟିଳ ରୋଗସହ ଲଢିବାର କ୍ଷମତା ରଖିଥାଏ। ଏଥିପାଇଁ ଏନ୍‌ଆର୍‌ସିଇ ହିସାରର କେନ୍ଦ୍ରୀୟ ମଇଁଷି ଅନୁସନ୍ଧାନ କେନ୍ଦ୍ର ଓ କରନାଲର ନ୍ୟାଶନାଲ ଡାଏରୀ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବୈଜ୍ଞାନିକଙ୍କ ସହଯୋଗ ଲୋଡିଛି। ତେବେ ହିସାରର ଏହି ଗଧ କ୍ଷୀରର ଡାଏରୀ ଖୋଲିଲେ ଲୋକଙ୍କ ପାଇଁ ଏହା ଲାଭଦାୟକ ହେବ ବୋଲି ଆଶା କରାଯାଉଛି।

Share