Categories: ଜାତୀୟ

ରବର ଷ୍ଟାମ୍ପ୍‌ ରାଷ୍ଟ୍ରପତି ହୁଅନ୍ତୁ ନାହିଁ

ବେଙ୍ଗାଲୁରୁ, ୪ା୭: ଭାଜପା ନେତୃତ୍ୱାଧୀନ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଯେଭଳି ରବର ଷ୍ଟାମ୍ପ ରାଷ୍ଟ୍ରପତି ନ ହେବେ, ସେଥିଲାଗି ଦୃଢ଼ ପ୍ରତିଶ୍ରୁତି ଦେବା ଦରକାର ବୋଲି ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା ଆଶାବ୍ୟକ୍ତ କରିଛନ୍ତି। ରବିବାର ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ କରିବା ଲାଗି ବେଙ୍ଗାଲୁରୁ ଯାଇ ସେଠାକାର କଂଗ୍ରେସ ବିଧାୟକ ଦଳ (ସିଏଲ୍‌ପି) ବୈଠକରେ ଯୋଗଦେବା ଅବସରରେ ସିହ୍ନା ଏହା କହିଛନ୍ତି।
ଏହି ଅବସରରେ ସେ କେନ୍ଦ୍ର ସରକାରଙ୍କୁ ଘୋର ସମାଲୋଚନା କରିଛନ୍ତି। ରାଜନୈତିକ ବିରୋଧୀଙ୍କ ବିପକ୍ଷରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି), କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଓ ଆୟକର ଭଳି କେନ୍ଦ୍ରୀୟ ସଂସ୍ଥାକୁ କେନ୍ଦ୍ର ସରକାର ବ୍ୟବହାର କରୁଛନ୍ତି ବୋଲି ସିହ୍ନା ଅଭିଯୋଗ କରିଛନ୍ତି।

ନ୍ୟାୟପାଳିକା ବିରୋଧରେ ଯେଭଳି ଭାବେ ଅଭିଯୋଗ ଅଣାଯାଉଛି, ସେଥିଲାଗି ସେ ଉଦ୍‌ବେଗ ମଧ୍ୟ ପ୍ରକାଶ କରିଛନ୍ତି। ଦୁଇ ଦିନ ତଳେ ସୁପ୍ରିମକୋର୍ଟ ଭାଜପାର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ବିରୋଧରେ ଦେଇଥିବା ରାୟ ଏବଂ ପରେ ଏକ କାର୍ଯ୍ୟକ୍ରମରେ ‘ନ୍ୟାୟପାଳିକା କେବଳ ସମ୍ବିଧାନ ନିକଟରେ ଉତ୍ତରଦାୟୀ’ ସଂକ୍ରାନ୍ତ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନ୍‌.ଭି. ରମଣାଙ୍କ ମନ୍ତବ୍ୟକୁ ସିହ୍ନା ସ୍ବାଗତ କରିଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏପରି ଦୃଢ଼ ଓ ସ୍ପଷ୍ଟ ମତ ଲାଗି ସେ ପ୍ରଧାନ ବିଚାରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ହେଲେ ଉପରଲିଖିତ ରାୟକୁ ସାମାଜିକ ଗଣମାଧ୍ୟମରେ କେବଳ ଯେ ସମାଲୋଚନା କରାଯାଇଛି ତାହା ନୁହେଁ, ନ୍ୟାୟପାଳିକାକୁ ଅଭିଯୁକ୍ତ ଆସନରେ ବସାଇଲା ଭଳି ଖରାପ ବିବୃତି ଦିଆଯାଉଥିବା ଦୁର୍ଭାଗ୍ୟଜନକ ବୋଲି ସିହ୍ନା କହିଛନ୍ତି। ଏହା ଗଣତନ୍ତ୍ର ପ୍ରତି ଏକ ଦୁଃଖଦ ପରମ୍ପରା ସୃଷ୍ଟି କରିଛି ବୋଲି ସିଏଲ୍‌ପି ବୈଠକ ପରେ ସିହ୍ନା ଖବରଦାତାଙ୍କୁ ଏସବୁ କହିଛନ୍ତି।
ବେଙ୍ଗାଲୁରୁଠାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସଭାର ବିରୋଧୀ ଦଳ ନେତା ମଲିକାର୍ଜ୍ଜୁନ ଖାର୍ଗେ, କଂଗ୍ରେସ ବିଧାୟକ ଦଳ ନେତା ସିଦ୍ଧରାମାୟା, ରାଜ୍ୟ କଂଗ୍ରେସ ମୁଖ୍ୟ କେ. ଡି. ଶିବକୁମାର, ଅନ୍ୟାନ୍ୟ ବିଧାୟକ ଓ ପାର୍ଟି ନେତାମାନେ ଉପସ୍ଥିତ ଥିଲେ।

 

Share